Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ICSE 12TH

ମୁଖ୍ୟ ଖବର

    କ୍ୟାପଟେନ୍‌ ଲକ୍ଷ୍ମୀ ସହଗଲ୍‌

    Share on :
    ajab-Image
    Date: Aug 9, 2022    Views: 2971

    ଗାନ୍ଧିଜୀ ଅହିଂସା ଉପାୟରେ ସ୍ୱାଧୀନତା ହାସଲ ଚାହୁଁଥିବା ବେଳେ ସୁଭାଷ ବୋଷ ଥିଲେ ଗାନ୍ଧୀଙ୍କ ନୀତିର ବିପରୀତ  । ଅହିଂସା ନୁହେଁ, ଅସ୍ତ୍ରରେ ହିଁ ଇଂରେଜଙ୍କୁ ଭାରତରୁ ବିତାଡିତ କରାଯାଇପାରିବ ବୋଲି କହି ସେ ଗଢିଥିଲେ ଆଜାଦ ହିନ୍ଦ୍‌ ଫୌଜ  । ତାଙ୍କର ଏହି ଫୌଜ ବର୍ମାରୁ ଦିଲ୍ଲୀ ଚଲୋ ଡାକରା ଦେଇ ଆଗକୁ ଅଗ୍ରସର ହୋଇଥିଲା  । ନେତାଜୀଙ୍କ ଆଜାଦ ହିନ୍ଦ୍‌ ଫୌଜରେ ମହିଳାଙ୍କ ଏକ ସ୍ୱତନ୍ତ୍ର ରେଜିମେଣ୍ଟ ରାଣୀ ଝାନସୀ ରେଜିମେଣ୍ଟ ରହିଥିଲା  । ଏହି ରେଜିମେଣ୍ଟର କ୍ୟାପଟେନ୍‌ ଥିଲେ ଲକ୍ଷ୍ମୀ ସହଗଲ  । ପେସାରେ ଜଣେ ଡାକ୍ତର ଥିଲେ ମଧ୍ୟ ଭାରତକୁ ଇଂରେଜଙ୍କ କବଳରୁ ମୁକ୍ତ କରିବା ପାଇଁ ସେ ଧରିଥିଲେ ଅସ୍ତ୍ର  । ନେତାଜୀଙ୍କ ଆଜାଦ ହିନ୍ଦ୍‌ ସରକାରରେ ତାଙ୍କୁ ମିଳିଥିଲା ମହିଳା ବ୍ୟାପାର ମନ୍ତ୍ରୀ ଦାୟିତ୍ୱ  । 

    ୧୯୧୪ ମସିହା ଅକ୍ଟୋବର ୨୪ ତାରିଖରେ ମାଡ୍ରାସରେ ଏସ୍‌ ସ୍ୱାମୀନାଥନ୍‌ ଓ ଏ ଭି ଅଶୁକୁଟୀଙ୍କ କୋଳ ମଣ୍ଡନ କରିଥିଲେ ଲକ୍ଷ୍ମୀ  । ତାଙ୍କ ବାପା ମାଡ୍ରାସ ହାଇକୋର୍ଟରେ ଆଇନଜୀବୀ ଥିବା ବେଳେ ମା ’ ଥିଲେ ଜଣେ ସମାଜସେବୀ  । ଜଣେ ମେଧାବୀ ଛାତ୍ରୀ ଭାବେ ପ୍ରାଥମିକ ଓ ଉଚ୍ଚଶିକ୍ଷା ଲାଭ ପରେ ଲକ୍ଷ୍ମୀ ମେଡିସିନ ପଢିଥିଲେ ଓ ୧୯୩୮ରେ ମାଡ୍ରାସ ମେଡିକାଲ କଲେଜରୁ ଏମବିବିଏସ୍‌ ଡିଗ୍ରୀ ହାସଲ କରିଥିଲେ  । ଡିଗ୍ରୀ ହାସଲର ଗୋଟିଏ ବର୍ଷ ପରେ ସେ ସ୍ତ୍ରୀରୋଗ ଓ ପ୍ରସୂତି ବିଜ୍ଞାନରେ ଡିପ୍‌ଲୋମା ହାସଲ କଲେ  । ଏହାପରେ ସେ ଚେନ୍ନାଇର କସ୍ତୁରବା ଗାନ୍ଧୀ ସରକାରୀ ଡାକ୍ତରଖାନାରେ ଡାକ୍ତର ଭାବେ କାମ କଲେ  । ପାଇଲଟ୍‌ ପି.କେ.ଏନ. ରାଓଙ୍କ ସହିତ ବିବାହ ବିଫଳ ହେବା ପରେ ସିଙ୍ଗାପୁର ଚାଲିଗଲେ ଲକ୍ଷ୍ମୀ  । ସେଠାରେ ସେ ଗରିବ ବିଶେଷକରି ଭାରତରୁ ଯାଇ ସେଠାରେ ଶ୍ରମଜୀବୀ ଭାବେ କାମ କରୁଥିବା ଲୋକଙ୍କ ପାଇଁ ସେ ଏକ କ୍ଲିନିକ୍‌ ଖୋଲିଲେ  । ସେଠାରେ ଥିବାବେଳେ ସେ ନେତାଜୀଙ୍କ ଆଜାଦ ହିନ୍ଦ ଫୌଜର ସୈନିକଙ୍କ ସଂସ୍ପର୍ଶରେ ଆସିଥିଲେ  ।

    ୧୯୪୨ରେ ଇଂରେଜ ସରକାର ଜାପାନ ନିକଟରେ ସିଙ୍ଗାପୁରକୁ ସମର୍ପଣ କରିଦେଇଥିଲା  । ସେଥିରେ ଯୁଦ୍ଧାହତ ଲୋକଙ୍କୁ ଡାକ୍ତରୀ ସେବା ଯୋଗାଉ ଥିଲେ ଲକ୍ଷ୍ମୀ  । ଆହତଙ୍କ ମଧ୍ୟରୁ ଅନେକ ଆଜାଦ ହିନ୍ଦ୍‌ ଫୌଜରେ ମିଶିବାକୁ ଚାହୁଁଥିବା ଲକ୍ଷ୍ମୀ ସେମାନଙ୍କୁ ଚିକିତ୍ସା କରୁଥିବା ସମୟରେ ଜାଣିବାକୁ ପାଇଥିଲେ  । ୧୯୪୩ ଜୁଲାଇ ୨ ତାରିଖରେ ନେତାଜୀ ସିଙ୍ଗାପୁରରେ ପହଞ୍ଚିଲେ  । ସେଠାରେ ପହଞ୍ଚିବା ପରେ ବିଭିନ୍ନ ସଭାସମିତିରେ ସେ ଇଂରେଜଙ୍କ ବିରୋଧରେ ଲଢେଇ କଥା କହିଲା ବେଳେ ଏକ ମହିଳା ରେଜିମେଣ୍ଟ ସ୍ଥାପନ କରିବାକୁ ଚାହୁଁଥିବା ପ୍ରକାଶ କରିଥିଲେ  । ଏହି ରେଜିମେଣ୍ଟ ପୁରୁଷ ରେଜିମେଣ୍ଟ ଭଳି ଇଂରେଜଙ୍କ ବିରୋଧରେ ଲଢେଇ କରିବ  । ନେତାଜୀଙ୍କ ଏହି କଥା ଲକ୍ଷ୍ମୀଙ୍କ କାନରେ ପଡିଲା  । ସେ ନେତାଜୀଙ୍କୁ ଭେଟିଲେ  । ନେତାଜୀଙ୍କ ଡାକରାରେ ଆହୁରି ଅନେକ ମହିଳା ମଧ୍ୟ ସ୍ୱତଃପ୍ରବୃତ୍ତ ଭାବେ ଆଗେଇ ଆସିଲେ  । କେବଳ ମହିଳାଙ୍କୁ ନେଇ ଗଢା ହେଲା ‘ ରାଣୀ ଝାନ୍ସୀ ରେଜିମେଣ୍ଟ ’  । ଏହି ରେଜିମେଣ୍ଟର କ୍ୟାପଟେନ୍‌ ହେଲେ ଲକ୍ଷ୍ମୀ  । ସେହିଦିନଠାରୁ ତାଙ୍କର ପରିଚୟ ଡକ୍ଟର ଲକ୍ଷ୍ମୀ ସ୍ୱାମୀନାଥନରୁ ହୋଇଗଲା କ୍ୟାପ୍‌ଟେନ୍‌ ଲକ୍ଷ୍ମୀ  । ଏହି ନାମରେ ହିଁ ସେ ଜୀବନର ଶେଷ ପର୍ଯ୍ୟନ୍ତ ପରିଚିତ ହୋଇ ରହିଥିଲେ  ।

    ୧୯୪୪ ଡିସେମ୍ବରରେ ଜାପାନ ସୈନ୍ୟଙ୍କ ସହ ଆଜାଦ ହିନ୍ଦ୍‌ ଫୌଜ ବର୍ମାକୁ ମାଡ଼ି ଚାଲିଲେ  । ଆଉ କେଇ ମାସ ଭିତରେ ସେମାନେ ଦିଲ୍ଲୀରେ ପହଞ୍ଚିଥାନ୍ତେ  । ମାତ୍ର ୧୯୪୫ ମାର୍ଚ୍ଚ ବେଳକୁ ଯୁଦ୍ଧର ଗତି ବଦଳି ଯାଇଥିଲା  । ଇଂରେଜ ହାତରେ ଜାପାନ ପରାସ୍ତ ହେଲା  । ଇମ୍ଫାଲରେ ପ୍ରବେଶ ପୂର୍ବରୁ ଆଜାଦ ହିନ୍ଦ୍‌ ଫୌଜର ନେତାମାନେ ପଛଘୁଞ୍ଚା ଦେବାକୁ ନିଷ୍ପତ୍ତି ନେଲେ  । ମେ ’ ମାସରେ ବ୍ରିଟିଶ ସେନା କ୍ୟାପଟେନ୍‌ ଲକ୍ଷ୍ମୀଙ୍କୁ ଗିରଫ କଲା  । ତାଙ୍କୁ ୧୯୪୬ ମାର୍ଚ୍ଚ ପର୍ଯ୍ୟନ୍ତ ବର୍ମା ଜଙ୍ଗଲରେ ଗୃହବନ୍ଦୀ କରି ରଖାଗଲା  । ପରେ ତାଙ୍କୁ ଯେତେବେଳେ ଭାରତ ପଠାଗଲା , ସେତେବେଳକୁ ଆଜାଦ ହିନ୍ଦ୍‌ ଫୌଜର ଲୋକପ୍ରିୟତା ଶୀର୍ଷରେ ପହଞ୍ଚି ସାରିଥିଲା  । ଇଂରେଜ ଶାସନର ଶେଷ ଦୀପଶିଖା ମଧ୍ୟ ଲିଭି ଲିଭି ଆସୁଥିଲା  । ୧୯୪୭ ମସିହା ମାର୍ଚ୍ଚ ମାସରେ ଲକ୍ଷ୍ମୀ ଆଜାଦ ହିନ୍ଦ୍‌ ଫୌଜର ଖାତି ସମ୍ପନ୍ନ କର୍ଣ୍ଣେଲ ପ୍ରେମ କୁମାର ସେହଗଲଙ୍କୁ ବିବାହ କରିଥିଲେ ।

    ୧୯୭୧ରେ ଲକ୍ଷ୍ମୀ ଭାରତୀୟ କମ୍ୟୁନିଷ୍ଟ ପାର୍ଟିରେ ଯୋଗଦେଇ ପରେ ଏହି ଦଳ ପକ୍ଷରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ  । ବାଂଲାଦେଶ ଏକ ସ୍ୱତନ୍ତ୍ର ରାଷ୍ଟ୍ର ହେବା ପରେ ସେଠାରୁ ଚାଲି ଆସୁଥୁବା ଶରଣାର୍ଥୀଙ୍କ ପାଇଁ କଲିକତାରେ ରିଲିଫ ଓ ମେଡିକାଲ କ୍ୟାମ୍ପର ଆୟୋଜନ କରି ସେମାନଙ୍କୁ ସହାୟତା ଦେଇଥିଲେ  । ୧୯୮୪ ଭୋପାଳ ଗ୍ୟାସ ଦୁର୍ଘଟଣା ପରେ ମଧ୍ୟ ସେଠାକୁ ସେ ଡାକ୍ତରୀ ସହାୟତା ନେଇ ପହଞ୍ଚି ଥିଲେ  । ଦେଶର ଯେଉଁଠି ବି ଦୈବୀ ଦୁର୍ବିପାକ ବା ଦୁର୍ଘଟଣାରେ ଲୋକମାନେ ସଂକଟରେ ପଡୁଥିଲେ ସେଠାକୁ ସେ ସେବା ଯୋଗାଇ ଦେବାକୁ ଦଉଡ଼ି ଯାଉଥିଲେ  । ଯେଉଁଠି ସଂସ୍କୃତିର ଅବକ୍ଷୟ ହେଉଥିବା ତାଙ୍କ ମନକୁ ଆସିଛି , ସେଠି ସେ ବିରୋଧ କରିବାକୁ ପଛଘୁଞ୍ଚା ଦେଇନାହାନ୍ତି  । ୧୯୯୬ରେ ବାଙ୍ଗାଲୋରରେ ଅନୁଷ୍ଠିତ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାକୁ ବିରୋଧ କରି ସେ ଗିରଫ ହୋଇଥିଲେ  । ୨୦୦୨ରେ ଏ.ପି.ଜେ. ଅବଦୁଲ କଲାମଙ୍କ ବିରୋଧରେ ସେ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ପଦ ପାଇଁ ଲଢି ହାରିଥିଲେ  । ପରିଣତ ବୟସରେ ବି ତାଙ୍କ କ୍ଲିନିକ୍‌ ଅସହାୟ, ଗରିବ ଲୋକଙ୍କ ପାଇଁ ଖୋଲା ରହିଥିଲା  । ଜୀବନର ଶେଷ ପର୍ଯ୍ୟନ୍ତ ଲୋକଙ୍କୁ ଡାକ୍ତରୀ ସେବା ଯୋଗାଇ ଦେବାରେ ତାଙ୍କ ହାତ ଅଟକି ନଥିଲା  । ଏହି ମହାନ ସଂଗ୍ରାମୀ ତଥା ସମାଜସେବୀଙ୍କର ୨୦୧୨ ମସିହା ଜୁଲାଇ ୨୩ ତାରିଖରେ ମୃତ୍ୟୁ ଘଟିଥିଲା  । ତାଙ୍କ ମୃତ୍ୟୁରେ ଦେଶ ଜଣେ ମହାନ ସଂଗ୍ରାମୀ ତଥା ସମାଜସେବୀଙ୍କୁ ହରାଇଲା  । 

    Maximum 500 characters

    ICSE 12TH View all

    Find Us on Facebook