Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଏହି ଦୁଇ ଦିନ ରାଜ୍ୟର ସବୁ ଏସପି ଅଫିସ ଘେରାଉ କରିବ ବିଜେପି

    Share on :
    ajab-Image
    Date: Oct 26, 2021    Views: 3465

    ଭୁବନେଶ୍ୱର : ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ଏବଂ ଗିରଫ କରିବା ଦାବିରେ ୨୬ ଓ ୨୭ତାରିଖରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ହେବ ବୋଲି ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଶ୍ ଆଚାର୍ଯ୍ୟ କହିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ରାଜ୍ୟ ସରକାର ଓ ଶାସକ ଦଳ ଦୋଷୀକୁ ଘଣ୍ଟ ଘୋଡ଼ାଉଛନ୍ତି । ଏହା ଅତ୍ୟନ୍ତ ଲଜ୍ଜାଜନକ । ଏହି ଘଟଣା ନୂଆ ନୁହେଁ । ମାଧବୀଲତା, ଇତିଶ୍ରୀ, ବେବିନା, କୁନ୍ଦୁଲି ପୀଡ଼ିତା, ପରୀ, ସ୍ମିତାରାଣୀ, ମାହଙ୍ଗା ଡବଲ ମର୍ଡର, ସୌମ୍ୟରଞ୍ଜନ ଭଳି ହତ୍ୟାକାଣ୍ଡରେ ପୁଲିସ ଯେପରି ଶାସକ ବିଜେଡି ଚାପରେ କେସରେ ଅବହେଳା କଲା ତାହା ଏଠାରେ ବି ଦେଖିବାକୁ ମିଳିଛି । ଲୋକଦେଖାଣିଆ ଭାବେ ଜଣେ ପୁଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇ ମନ୍ତ୍ରୀଙ୍କୁ ଖସାଇଦେବାର ଚକ୍ରାନ୍ତ କରାଯାଉଛି । 


    ମୃତ ଶିକ୍ଷୟିତ୍ରୀ ମମିତା ଦୀର୍ଘ ୭ମାସ ଧରି ଛୁଟିରେ ଘରେ ଥିଲେ ହେଁ ତାଙ୍କୁ ଅଭିଯୁକ୍ତ ଗୋବିନ୍ଦ ସାହୁ ଚକ୍ରାନ୍ତ କରି ଘରୁ ଡାକିଥିଲା ବୋଲି ପୁଲିସ ନିଜେ ପ୍ରକାଶ କରିଛି । ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଅନୈତିକ କାରବାରରେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ସଂପୃକ୍ତି ସମ୍ପର୍କରେ ମମିତାଙ୍କ ପିତାମାତାଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ୱେ ମାଜିଷ୍ଟ୍ରେଟଙ୍କ ଆଗରେ କାହିଁକି ବୟାନ ରେକର୍ଡ କରାଯାଇନାହିଁ ପୁଲିସକୁ ହାତବାରିସୀ କରି ବିଜେଡି ଏଭଳି ଜଘନ୍ୟ ଓ ବର୍ବରୋଚିତ ହତ୍ୟାକାଣ୍ଡକୁ ଦିଗହରା କରିବା ପାଇଁ ଷଡଯନ୍ତ୍ର କରୁଛି । ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ତୁରନ୍ତ ବହିଷ୍କାର କରିବା ସହ ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦିଆଯାଉ ବୋଲି ଶ୍ରୀ ଆଚାର୍ଯ୍ୟ ଦାବି କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଅର୍ପିତା ଅପରାଜିତା ବଡ଼ଜେନା, ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଦୀପକ ଗୋଚ୍ଛାୟତ, ମନୋଜ ପଶ୍ଚିମ କବାଟ ପ୍ରମୁଖ ଉପସ୍ଥିତ ଥିଲେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook