Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ICSE 10TH

ମୁଖ୍ୟ ଖବର

    ବାଘାଯତୀନ : ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ କାହାଣୀ

    Share on :
    ajab-Image
    Date: Aug 11, 2022    Views: 2694

    ୧୮୭୯ ମସିହାରେ ପୂର୍ବ ବଙ୍ଗର ଯଶୋର ଜିଲ୍ଲାରେ ଯତୀନ୍ଦ୍ର ନାଥ ଜନ୍ମଗ୍ରହଣ କରିଥିଲେ  । ତାଙ୍କ ପରିବାର ସେତେଟା ସ୍ୱଚ୍ଛଳ ନଥିଲା  । ମାତ୍ର ୫ ବର୍ଷ ବୟସରେ ସେ ବାପାଙ୍କୁ ହରାଇଥିଲେ  । ତେବେ ପିଲାଟି ଦିନରୁ ସେ ସ୍ୱାଧୀନତା ଆନ୍ଦୋଳନ ଆଡକୁ ଆକର୍ଷିତ ହୋଇଯାଇଥିଲେ  । ପାରିପାଶ୍ୱର୍ିକ ପରିସ୍ଥିତି ତାଙ୍କ ମନରେ ଜାତୀୟ ଚେତନା ଭରିଦେଇଥିଲା  ।

    ସ୍କୁଲ ଶିକ୍ଷା ଶେଷ କରିବା ପରେ ୧୮୯୫ରେ ସେ କଲିକତାର ସେଣ୍ଟ୍ରାଲ କଲେଜରେ ନାମ ଲେଖାଇଥିଲେ  । ମାତ୍ର ୧୮ ବର୍ଷ ବୟସରେ ସେ କଲେଜ ପାଠପଢ଼ା ବନ୍ଦ କରି ଘର ଚଳାଇବା ପାଇଁ ଜଣେ ଇଂରେଜ ବାରିଷ୍ଟରଙ୍କ ପାଖରେ ଚାକିରୀ କରିବାକୁ ବାଧ୍ୟ ହୋଇଥିଲେ  । ତା’ପରେ ବଙ୍ଗ ସେକ୍ରେଟାରିଏଟରେ ଲାଟ ସାହେବଙ୍କ ଅଫିସରେ ଚାକିରୀ କରିଥିଲେ  । ଏହି ସମୟରେ ଯତୀନ୍ଦ୍ର ନାଥ ସ୍ୱାମୀ ବିବେକାନନ୍ଦ ଓ ଶ୍ରୀଅରବିନ୍ଦଙ୍କ ସଂସ୍ପର୍ଶରେ ଆସିଥିଲେ  ।

    ଯତୀନଙ୍କ ନାମ କିଭଳି ବାଘାଯତୀନ ହୋଇଥିଲା, ତାହା ପଛରେ ଏକ ସତ କାହାଣୀ ରହିଛି  । ୧୯୦୪ରେ ସେ ଥରେ ଜଣେ ବନ୍ଧୁଙ୍କ ସହିତ ଜଙ୍ଗଲ ମଧ୍ୟ ଦେଇ ଯାଉଥିବାବେଳେ  ହଠାତ ଗୋଟିଏ ବାଘ ତାଙ୍କ ବନ୍ଧୁଙ୍କୁ ଆକ୍ରମଣ କରିଥିଲା  । ତେବେ ବନ୍ଧୁଙ୍କ ପ୍ରାଣରକ୍ଷା ପାଇଁ ସେ ଭୁଜାଲି ଧରି ବାଘ ଉପରକୁ ଝାମ୍ପି ପଡ଼ିଥିଲେ  । କିଛି ସମୟ ଧରି ବାଘ ସହ ଲଢେ଼ଇ କରିବା ପରେ ସେ ବାଘକୁ ମାରି ଦେଇଥିଲେ  । ଏହା ପରେ ବନ୍ଧୁମାନେ ତାଙ୍କୁ ବାଘା ଯତୀନ ବୋଲି ଡାକିଥିଲେ  । ଧିରେଧିରେ ଏହି ନାମରେ ସେ ଲୋକପ୍ରିୟ ହୋଇଥିଲେ  । ସେପର୍ଯ୍ୟନ୍ତ ସେ ସ୍ୱାଧୀନତା ଆନ୍ଦୋଳନରେ ଯୋଗଦେଇନଥିଲେ  ।

    ଏକଦା ସେ ରେଳଗାଡ଼ିରେ ସିଲିଗୁଡ଼ି ଯାଉଥିବାବେଳେ ଦେଖିଲେ, କେତେକ ଗୋରା ସାହେବ ପ୍ରଥମ ଶ୍ରେଣୀ ଡବାରେ ବସିଥିବା ଭାରତୀୟମାନଙ୍କୁ ଡବାରୁ ଜବରଦସ୍ତ ବାହାର କରି ନିଜେ ବସୁଥିଲେ  । ଏହି ଘଟଣାକୁ ନେଇ ବାଘାଯତୀନ ଓ ବ୍ରିଟିଶରଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା  । ପରେ ବାଘାଯତୀନ ଚାକିରୀ ଛାଡ଼ିଦେଇ କଠୋରପନ୍ଥୀଙ୍କ ଗୋଷ୍ଠୀରେ  ସାମିଲ ହୋଇଥିଲେ  । ୧୯୧୦ରେ ଗୋଟିଏ ବୋମାଫୁଟା ଘଟଣାରେ ବ୍ରିଟିଶ ପୋଲିସ ଗିରଫ କରି ତାଙ୍କ ଉପରେ ଅମାନୁଷିକ ଅତ୍ୟାଚାର କରିଥିଲେ  ।

    ସ୍ୱାଧୀନତା ସଂଗ୍ରାମ ସମୟରେ ଓଡ଼ିଶାରେ ସ୍ୱଦେଶୀ ଆନ୍ଦୋଳନ ସହ ବନ୍ଦେ ମାତରମ ଆନ୍ଦୋଳନର ପ୍ରଭାବ ମଧ୍ୟ ପଡ଼ିଥିଲା  । ବଙ୍ଗର ବହୁ ଯୁବକ ସଶସ୍ତ୍ର ସଂଘର୍ଷ କରି ଇଂରେଜମାନଙ୍କୁ ବିତାଡ଼ିତ କରିବାକୁ ସଂକଳ୍ପ ନେଇଥିଲେ  । ଏହି ଆନ୍ଦୋଳନର ପୁରୋଭାଗରେ ରହିଥିଲେ ବାଘା ଯତୀନ  । ଓଡ଼ିଶାର ମୟୂରଭଞ୍ଜ ଓ ବାଲେଶ୍ୱରରେ ରହି ସେମାନେ ଆନ୍ଦୋଳନକୁ ଆଗେଇ ନେଇଥିଲେ  ।

    ଏହି ବନ୍ଦେ ମାତରମ ଆନ୍ଦୋଳନର ଏକ ସୁଦୂରପ୍ରସାରୀ ପ୍ରଭାବ ରହିଥିଲା  । ଏହି ଗୋଷ୍ଠୀରେ ସାମିଲ ହୋଇଥିବା ଯୁବକମାନେ ବିଭିନ୍ନ ଥାନାରୁ ବନ୍ଧୁକ ଓ ଅନ୍ୟ ସାମଗ୍ରୀ ଲୁଟ କରି ଇଂରେଜଙ୍କ ବିରୋଧରେ ଲଢେ଼ଇ କରୁଥିଲେ  । ଏକଦା ବାଘା ଯତୀନ ରହୁଥିବା ଯାଗା ଉପରେ ଇଂରେଜ ପୁଲିସମାନେ ଚଢ଼ାଉ କଲେ  । ଫଳରେ ବିପ୍ଲବୀ ଓ ପୁଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା  । ଏହି ଗୁଳିଗୋଳା ମାଡ଼ରେ ବାଘା ଯତୀନ ଗୁରୁତର ଭାବେ ଆହତ ହୋଇଥିଲେ  । ଯେତେବେଳେକି ତାଙ୍କର ସହଯୋଗୀ ଚିତ୍ତପ୍ରିୟ ନିହତ ହୋଇଥିଲେ  । ଅନ୍ୟ କେତେକ ସହଯୋଗୀ ପ୍ରାଣ ବିକଳରେ ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଥିଲେ  । ଗୁରୁତର ଆହତ ଯତୀନଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ସେ ମୃତ୍ୟୁବରଣ କରିଥିଲେ  । ଆତ୍ମସମର୍ପଣ କରିଥିବା ଜ୍ୟୋତିଷ ଓ ନରେନଙ୍କର ବିଚାର ହୋଇଥିଲା  । ବିଚାରରେ ଜ୍ୟୋତିଷଙ୍କୁ ଦ୍ୱୀପାନ୍ତର କରାଯାଇଥିବାବେଳେ ମନୋରଞ୍ଜନ ଓ ନରେନଙ୍କୁ ଫାଶୀ ଦଣ୍ଡାଦେଶରେ ଦଣ୍ଡିତ କରାଯାଇଥିଲା  ।
     

    Maximum 500 characters

    ICSE 10TH View all

    Find Us on Facebook