Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ICSE 10TH

ମୁଖ୍ୟ ଖବର

    ଅଗଷ୍ଟ ବିପ୍ଳବ ଓ ଆମ ଓଡ଼ିଶା

    Share on :
    ajab-Image
    Date: Aug 11, 2022    Views: 2481

    ୧୯୪୨ ମସିହା ଭାରତ ଛାଡ ଆନ୍ଦୋଳନ ବା ଅଗଷ୍ଟ ବିପ୍ଲବ ଥିଲା ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ସଂଗଠିତ ଏକ ଐତିହାସିକ ଗଣ ବିପ୍ଲବ  । କ୍ରିପସ ମିଶନର ବିଫଳତା ଯୋଗୁଁ ବ୍ରିଟିଶ ସରକାରଙ୍କ ଉପରେ ଭାରତର ପ୍ରମୁଖ ନେତୃବୃନ୍ଦଙ୍କ ଆସ୍ଥା ତୁଟି ଯାଇଥିଲା  । ହିନ୍ଦୁ ମୁସଲମାନ ବିଭେଦ ତୀବ୍ରତର ହେଉଥିବାରୁ ଗାନ୍ଧିଜୀ ଭାରତ ଛାଡ ଆନ୍ଦୋଳନ ଡାକରା ଦେବାକୁ ବାଧ୍ୟ ହୋଇଥିଲେ  । ବ୍ରିଟିଶ ସରକାର ଉଦ୍ଦେଶ୍ୟରେ ସେ ଘୋଷଣା କରିଥିଲେ - ‘ଭାରତ ଛାଡ’ । 


    ୧୯୪୨ ମସିହା ଜୁଲାଇ ୧୪ ତାରିଖରେ ୱାର୍ଦ୍ଧାଠାରେ ଗାନ୍ଧିଜୀଙ୍କ ‘ଭାରତ ଛାଡ’ ପ୍ରସ୍ତାବକୁ କଂଗ୍ରେସ କାର୍ଯ୍ୟକାରୀ କମିଟି ଗ୍ରହଣ କଲା  । ୧୯୪୨ ମସିହା  ଅଗଷ୍ଟ ୭ ତାରିଖରେ ବମ୍ବେରେ ବସିଥିବା ନିଖିଳ ଭାରତ କଂଗ୍ରେସ କମିଟି ବୈଠକରେ ଏହି ଭାରତ ଛାଡ ପ୍ରସ୍ତାବକୁ ଚୂଡାନ୍ତ ରୂପ ଦେବା ଲାଗି  ନିଷ୍ପତ୍ତି ଗ୍ରହଣ କରାଗଲା  । ଅଗଷ୍ଟ ୮ ତାରିଖ  ମଧ୍ୟରାତ୍ରିରେ କଂଗ୍ରେସ କମିଟି ଭାରତ ଛାଡ ଆନ୍ଦୋଳନ କରିବା ପାଇଁ ଦୃଢ ସଂକଳ୍ପ ଗ୍ରହଣ କଲା । ସେହି ଅଗଷ୍ଟ ୮ ତାରିଖ ଦିନ ବିଳମ୍ବିତ ରାତ୍ରି ଯାଏ ବାପୁଜୀ ମୁସଲମାନ, ଛାତ୍ର, ସୈନିକ, ସାମ୍ବାଦିକ, ସରକାରୀ କର୍ମଚାରୀ ସମେତ ସମସ୍ତ ଦେଶବାସୀଙ୍କୁ ଯେଉଁ ଦୀର୍ଘ ସମ୍ବୋଧନ କରିଥିଲେ ତାହା ଦେଶବାସୀଙ୍କୁ ଜାଗ୍ରତ କରିଥିଲା  ।


    ବ୍ରିଟିଶ ସରକାର କଂଗ୍ରେସର ଏହି ଚରମ ପଦକ୍ଷେପ ସମ୍ପର୍କରେ ଯଥେଷ୍ଟ ପୂର୍ବରୁ ସୂଚନା ପାଇ ଏହାକୁ ବିଫଳ କରିବା ନିମନ୍ତେ ସମସ୍ତ କାର୍ଯ୍ୟକ୍ରମମାନ ପ୍ରସ୍ତୁତ କରିସାରିଥିଲେ  । ଦେଶର ତୁଙ୍ଗ ନେତାମାନଙ୍କୁ ଗିରଫ କରିବାର ଯୋଜନା କରାଯାଇଥିଲା  । ମହାନ କ୍ରାନ୍ତିର ଦିବସ ଅଗଷ୍ଟ ୯ ସକାଳର ସୂର୍ଯ୍ୟୋଦୟ ପୂର୍ବରୁ ଗାନ୍ଧିଜୀଙ୍କୁ ପୁଲିସ ଗିରଫ କରିନେଲା  । ଗାନ୍ଧିଜୀ ନିର୍ଭୟରେ ପୁଲିସ ଗାଡିରେ ବସିଲାବେଳେ ପ୍ୟାରେଲାଲଙ୍କୁ ନିର୍ଦ୍ଦେଶ ଦେଇଗଲେ - ପ୍ରତ୍ୟେକ ଅହିଂସା ସିପାହୀ କାଗଜରେ କର ବା ମର ଲେଖି ତା’ର ପୋଷାକରେ ଲଗାଇ ଦେଉ  । ବ୍ରିଟିଶ ସରକାର କଂଗ୍ରେସକୁ ବେଆଇନ ଘୋଷଣା କରିଥିଲା  । ଗାନ୍ଧିଜୀଙ୍କ ଆଗା ଖାଁ ପ୍ରାସାଦରେ ବନ୍ଦୀ ଭାବେ ରଖାଗଲା । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଦେଶବାସୀଙ୍କ ମଧ୍ୟରେ ମୁକ୍ତି ପାଇଁ ବିପ୍ଳବର ଲେଲିହାନ ଶିଖା ଉଗ୍ରରୂପ ଧାରଣା କରିଥିଲା  । ଦେଶରେ ବ୍ୟାପକ ହିଂସା, ଉତ୍ତେଜନା ପରିଲକ୍ଷିତ ହେଲା  । ଧନ ସମ୍ପତ୍ତି ନଷ୍ଟ ହେବାକୁ ଲାଗିଲା  । ଉତ୍ତ୍ୟକ୍ତ ଜନତା ପୋଷ୍ଟ ଅଫିସ ଆକ୍ରମଣ କଲେ  । ରେଳ ଲାଇନ ଧ୍ୱଂସ  କରିଦେଲେ  । ଇଂରେଜ ସରକାର ମଧ୍ୟ ବିପ୍ଲବୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିବାରେ ଲାଗିଥିଲେ  । ସରକାରୀ ହିସାବ ଅନୁସାରେ ଅଗଷ୍ଟ ୯ରୁ ନଭେମ୍ବର ୩୦ ମଧ୍ୟରେ ୧୦୦୮ ଜଣ ପ୍ରାଣ ହରାଇଥିଲେ ଓ ୩,୨୭୫ ଜଣ ଆହତ ହୋଇଥିଲେ । 


    ଓଡିଶାରେ ମଧ୍ୟ ଏହି ଅଗଷ୍ଟ ବିପ୍ଳବର ପ୍ରଭାବ ପଡ଼ିଥିଲା  । ଅଗଷ୍ଟ ତୃତୀୟ ସପ୍ତାହରେ ଓଡିଶାର ଗାଁ ଗହଳିରେ ଏହି ବିପ୍ଳବ ତୀବ୍ରତର ହୋଇଉଠିଲା  । ଯାହାକୁ ଇଂରେଜ ସରକାର ସହଜରେ ଦମନ କରିପାରିନଥିଲେ  । ବାଲେଶ୍ୱରର ରକ୍ତତୀର୍ଥ ଇରମର ମାଟି ଅଗଷ୍ଟ କ୍ରାନ୍ତିରେ ପୁଲିସର ବର୍ବର ଆକ୍ରମଣରେ ବିପ୍ଳବୀର ରକ୍ତରେ ଭିଜି ଯାଇଥିଲା  । ସେହିପରି ଶହୀଦ ଲକ୍ଷ୍ମଣ ନାୟକଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଅଗଷ୍ଟ ୨୧ ତାରିଖରେ ସରକାରୀ କାର୍ଯ୍ୟାଳୟ ଉପରେ ଚଢଉ କରିବା ସହ ଜଣେ ଫରେଷ୍ଟ ଗାର୍ଡକୁ ଗୁରୁତର ଭାବେ ଆହତ କରି ଦେଇଥିଲେ  । ଫଳରେ ଲକ୍ଷ୍ମଣ ନାୟକଙ୍କୁ ଗିରଫ କରାଯିବା ସହ ୧୯୪୩ ଅଗଷ୍ଟ ୨୯ରେ ବ୍ରହ୍ମପୁର ଜେଲରେ ଫାଶୀ ଦିଆଗଲା  ।


    ଭାରତରେ ଘଟିଥିବା ଏହି ହିଂସାତ୍ମକ ଗଣ ଆନ୍ଦୋଳନ ପାଇଁ ଭାରତର ତତ୍କାଳୀନ ବଡ଼ଲାଟ ଲଡର଼୍ ଲିନଲିଥିଗୋ ଓ ବ୍ରିଟିଶ ପ୍ରଧାନମନ୍ତ୍ରୀ ଉଇନଷ୍ଟନ ଚର୍ଚ୍ଚିଲ ଗାନ୍ଧିଜୀଙ୍କୁ ସମାଲୋଚନା କଲେ  । ଇଂଲଣ୍ଡ ଓ ଆମେରିକାରେ ଏହାର ବ୍ୟାପକ ପ୍ରଚାର ବି ହୋଇଥିଲା  । ତେବେ ଗାନ୍ଧିଜୀଙ୍କ ସପକ୍ଷରେ ପାଶ୍ଚାତ୍ୟର ବହୁ ପ୍ରତିଷ୍ଠିତ ବ୍ୟକ୍ତି ବାହାରିଥିଲେ  । ଗାନ୍ଧିଜୀଙ୍କ ଆନ୍ଦୋଳନ ତୀବ୍ରତର ହେବାରୁ ବ୍ରିଟିଶ ସରକାର ବେଶୀଦିନ ତିଷ୍ଠିବ ନାହିଁ ବୋଲି ବାର୍ତ୍ତା ଯାଇଥିଲା  । ପରିଶେଷରେ ୧୯୪୭ ମସିହା  ଅଗଷ୍ଟ ୧୫ରେ ଭାରତ ସ୍ୱାଧୀନତା ଲାଭ କଲା  । 

    Maximum 500 characters

    ICSE 10TH View all

    Find Us on Facebook