ମୁଖ୍ୟ ଖବର
ବେରୁଟ୍ : ଲେବାନନ୍ର ରାଜଧାନୀ ବେରୁଟର ଦକ୍ଷିଣ ଉପକଣ୍ଠରେ ଇସ୍ରାଏଲ ପକ୍ଷରୁ ହୋଇଥିବା ଏୟାରଷ୍ଟ୍ରାଇକରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ବୁଝାମଣା ହୋଇଥିବା ସତ୍ତ୍ବେ ଇସ୍ରାଏଲ ଏପରି ଆକ୍ରମଣ କରିଛି। ଇସ୍ରାଏଲର ଏପରି ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଉତ୍ତେଜନା ବୃଦ୍ଧି ପାଇଛି। ବେରୁଟର ଦକ୍ଷିଣ ଉପକଣ୍ଠରେ ଥିବା ହେଜବୋଲ୍ଲାର ଗଡ଼ କୁହାଯାଉଥିବା ଦାହିୟେ ଅଞ୍ଚଳରେ ଏହି ଆକ୍ରମଣ ହୋଇଛି। ଲେବାନନର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଇସ୍ରାଏଲର ଯୁଦ୍ଧବିମାନ ଦୁଇଟି ଆପାର୍ଟମେଣ୍ଟ ବିଲ୍ଡିଂକୁ ଲକ୍ଷ୍ୟ କରି ୩ଟି କ୍ଷେପଣା୍ତ୍ର ମାଡ଼ କରିଥିଲା। ଏହି ଆକ୍ରମଣରେ ଆପାର୍ଟମେଣ୍ଟଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ୨ ଜଣ ପ୍ରାଣ ହରାଇବା ସହ ୧୧ ଜଣ ଆହତ ହୋଇଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟ୍ଜ ଏକ ମିଳିତ ବିବୃତିରେ କହିଛନ୍ତି ଯେ ହେଜବୋଲ୍ଲାର କମାଣ୍ଡ ସେଣ୍ଟରକୁ ଲକ୍ଷ୍ୟ କରି ଏହି ଆକ୍ରମଣ କରାଯାଇଛି। ରବିବାର ସକାଳେ ହେଜବୋଲ୍ଲା ପକ୍ଷରୁ ଉତ୍ତର ଇସ୍ରାଏଲକୁ ଲକ୍ଷ୍ୟ କରି ରକେଟ୍ ମାଡ଼ କରାଯାଇଥିଲା। ଏହାର ପ୍ରତିଶୋଧ ସ୍ୱରୂପ ଇସ୍ରାଏଲ ବେରୁଟ ଉପରେ ଏହି ଏୟାରଷ୍ଟ୍ରାଇକ୍ କରିଛି। କିଛି ଦିନ ତଳେ ଆମେରିକାର ମଧ୍ୟସ୍ଥତାରେ ଇସ୍ରାଏଲ ଏବଂ ଲେବାନନ ସରକାରଙ୍କ ମଧ୍ୟରେ ଏକ ସାମୟିକ ଅସ୍ତ୍ରବିରତି ସ୍ୱାକ୍ଷରିତ ହୋଇଥିଲା; କିନ୍ତୁ ହେଜବୋଲ୍ଲା ଏହି ଚୁକ୍ତିକୁ ପ୍ରତ୍ୟାଖ୍ୟାନ କରିଥିଲା।
ହେଜବୋଲ୍ଲା ବିରୋଧରେ ଇସ୍ରାଏଲ କରୁଥିବା ଆକ୍ରମଣକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମର୍ଥନ କରିଛନ୍ତି। ଏକ ସାକ୍ଷାତ୍କାରରେ ଟ୍ରମ୍ପ କହିଛନ୍ତି ଯେ ଲେବାନନବାସୀଙ୍କ ସୁରକ୍ଷିତ ଜୀବନ ପାଇଁ ହେଜବୋଲ୍ଲା ଉପରେ ଅଧିକରୁ ଅଧିକ ସର୍ଜିକାଲ ଷ୍ଟ୍ରାଇକ ହେବା ଦରକାର। ଏହାଦ୍ବାରା ଲେବାନନର ଜନସାଧାରଣ ଯେଉଁ ଦୁର୍ଦଶା ଭୋଗୁଛନ୍ତି ସେଥିରୁ ସେମାନଙ୍କୁ ମୁକ୍ତି ମିଳିବ। ସେ କହିଛନ୍ତି ଯେ ଇସ୍ରାଏଲ୍ ବ୍ୟାପକ ବୋମା ବିସ୍ଫୋରଣ କରି ସାଧାରଣ ଲୋକଙ୍କ ସମ୍ପତ୍ତି ନଷ୍ଟ କରିବା ବଦଳରେ କେବଳ ହେଜବୋଲ୍ଲାର ନିର୍ଦ୍ଦିଷ୍ଟ ଆଡ୍ଡା ଓ କମାଣ୍ଡରମାନଙ୍କୁ ଟାର୍ଗେଟ୍ କରୁ, ଯାହାଦ୍ୱାରା ନିରୀହ ସାଧାରଣ ନାଗରିକଙ୍କ ଜୀବନ ରକ୍ଷା ହୋଇପାରିବ।
ଟ୍ରମ୍ପ କହିଛନ୍ତି ଯେ ଇରାନ ସହିତ ହେବାକୁ ଥିବା ଚୁକ୍ତିରେ ଲେବାନନ ପ୍ରସଙ୍ଗକୁ ଯୋଡ଼ିବାକୁ ସେ ଚାହଁୁ ନାହାନ୍ତି। ସେ ଇରାନ ଏବଂ ଲେବାନନ ପ୍ରସଙ୍ଗକୁ ପୃଥକ୍ ଭାବେ ଦେଖୁଛନ୍ତି। ମାତ୍ର ଇରାନ ଚାହୁଁଛି ଯେ ଆମେରିକା ସହ ଆଲୋଚନାରେ ଲେବାନନର ଅସ୍ତ୍ରବିରତି ପ୍ରସଙ୍ଗ ମଧ୍ୟ ସାମିଲ ହେଉ। ଟ୍ରମ୍ପ ସ୍ୱୀକାର କରିଛନ୍ତି ଯେ ଲେବାନନରେ ଇସ୍ରାଏଲର ସାମରିକ ଅଭିଯାନକୁ ନେଇ ତାଙ୍କର ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ସହ ଟେଲିଫୋନରେ କିଛି ତିକ୍ତ ଆଲୋଚନା ହୋଇଥିଲା। ଟ୍ରମ୍ପ ଇସ୍ରାଏଲର ବ୍ୟାପକ ଆକ୍ରମଣ ଶୈଳୀକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଏହାକୁ ସୀମିତ ତଥା ସଠିକ୍ ରଖିବାକୁ ପରାମର୍ଶ ଦେଇଥିଲେ।
ଲେବାନନ ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍ ପରେ ଇରାନ କଡ଼ା ଚେତାବନୀ ଦେଇଛି। ଇରାନ ସଂସଦର ଜାତୀୟ ସୁରକ୍ଷା କମିସନର ମୁଖପାତ୍ର ଇବ୍ରାହିମ ରେଜାଇ ଏହି ଆକ୍ରମଣକୁ ନେଇ ଇସ୍ରାଏଲକୁ ଧମକ ଦେଇଛନ୍ତି। ଇବ୍ରାହିମ ସୋସିଆଲ ମିଡିଆ ‘ଏକ୍ସ’ର ପୋଷ୍ଟରେ ଲେଖିଛନ୍ତି ଯେ ବେରୁଟ ଉପରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ଇରାନ ନିଶ୍ଚିତ ଭାବେ ନେବ। ଆମେ (ଇରାନ) ଜିଓନିଷ୍ଟ ଶାସନ (ଇସ୍ରାଏଲ)ର ଏହି ଆକ୍ରମଣର ଏକ ନିର୍ଣ୍ଣାୟକ ଏବଂ କଷ୍ଟଦାୟକ ଜବାବ ଦେବୁ। ସେ ଇସ୍ରାଏଲକୁ କଠୋର ଭାଷାରେ ସମାଲୋଚନା କରି କହିଛନ୍ତି ‘ଏହି ପାଗଳ କୁକୁରମାନଙ୍କୁ ସୁଧାରିବା ଏବଂ ସେମାନଙ୍କୁ ନିଜ ସୀମା ଭିତରେ ରଖିବା ନିହାତି ଆବଶ୍ୟକ।’ ରେଜାଇଙ୍କ ବୟାନରୁ ସ୍ପଷ୍ଟ ଜଣାପଡୁଛି ଯେ ଇରାନ ରବିବାର ରାତିରେ ଇସ୍ରାଏଲ ଉପରେ ଏକ ବଡ଼ ଧରଣର ଡ୍ରୋନ୍ କିମ୍ବା ମିସାଇଲ୍ ଆକ୍ରମଣ କରିବାକୁ ପ୍ରସ୍ତୁତି ଚଳାଇଛି। ବେରୁଟ୍ ଉପରେ ଆକ୍ରମଣ ପରେ ପରିସ୍ଥିତିର ସମୀକ୍ଷା ପାଇଁ ଇରାନର ସୁପ୍ରିମ ନ୍ୟାସନାଲ ସିକ୍ୟୁରିଟି କାଉନସିଲ୍ର ଏକ ଜରୁରୀକାଳୀନ ବୈଠକ ମଧ୍ୟ ଡକାଯାଇଛି।
Comments ସମସ୍ତ ମତାମତ