ଭୁବନେଶ୍ବର : ବୁଧବାର ବିରୋଧୀ ସଭ୍ୟଙ୍କ ହଟ୍ଟଗୋଳ ମଧ୍ୟରେ କୃଷି, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗର ମୋଟ ୧୫୮, ୪୬, ୮୭,୦୦୦ ଟଙ୍କାର ଅତିରିକ୍ତ ଖର୍ଚ୍ଚ ଦାବି ବିଧାନସଭାରେ ଗୃହୀତ ହୋଇଛି। ତନ୍ମଧ୍ୟରୁ କୃଷି ବିଭାଗ ପାଇଁ ୧୪୩, ୬୫, ୩୫,୦୦୦ ଟଙ୍କା ଏବଂ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗ ପାଇଁ ୧୪,୮୧,୫୨,୦୦୦ ଟଙ୍କାର ବରାଦ କରାଯାଇଛି।
କୃଷି ବିଭାଗର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପକ୍ଷରୁ ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଅତିରିକ୍ତ ଖର୍ଚ୍ଚ ଦାବି ଆଗତ କରିଥିଲେ।
ଅପରାହ୍ଣ ଅଧିବେଶନ ଆରମ୍ଭ ହେବା କ୍ଷଣି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଶିକ୍ଷକଙ୍କ ଦାବି ଉପରେ ସରକାର କି ପଦକ୍ଷେପ ନେଇଛନ୍ତି ସେ ସମ୍ପର୍କରେ ବାଚସ୍ପତିଙ୍କ ଠାରୁ ଜାଣିବାକୁ ଚାହିଁଥିଲେ। ବାଚସ୍ପତି ବିକ୍ରମ କେଶରୀ ଆରୁଖ ଏହା ଉପରେ କିଛି ନକହି କୃଷି, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗର ଖର୍ଚ୍ଚଦାବି ବିଷୟରେ କହିବାକୁ ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀଙ୍କୁ ଡାକିଥିଲେ। ଶିକ୍ଷକଙ୍କ ପ୍ରସଙ୍ଗରେ ଅସନ୍ତୁଷ୍ଟ କଂଗ୍ରେସ ଓ ବିଜେପି ସଭ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ ଓ ନାରାବାଜି କରିଥିଲେ। ଗୃହ ସ୍ବାଭାବିକ କରିବାକୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ସେଥିପାଇଁ ଗୃହକୁ ଦୁଇଟି ପର୍ୟ୍ୟାୟରେ ୪ଟା୧୪ରୁ ୪ଟା୪୪ ପର୍ୟ୍ୟନ୍ତ ମୁଲତବୀ କରିଥିଲେ। କିନ୍ତୁ ସର୍ବଦଳୀୟ ବୈଠକ ସଫଳ ନହେବାରୁ ବିରୋଧୀ ସଭ୍ୟମାନେ ଗୃହରେ ହଟ୍ଟଗୋଳ ଜାରି ରଖିଥିଲେ। ବିଭାଗୀୟ ଖର୍ଚ୍ଚଦାବି ଉପରେ ଆଲୋଚନା ଆରମ୍ଭ କରି ଶାସକ ଦଳର ବିଧାୟକ ଅମର ପ୍ରସାଦ ଶତପଥୀ କହିଥିଲେ ଯେ, କୃଷିର ବିକାଶ ପାଇଁ ଅନୁକୂଳ ପରିବେଶ ସହ ପରିଶ୍ରମୀ ମାନବସମ୍ବଳ ଓଡ଼ିଶାରେ ରହିଛନ୍ତି। ଫଳରେ ଉତ୍ପାଦନ ବଢ଼ିଛି ଓ ଉତ୍ପାଦିତ ବଳକା ଖାଦ୍ୟଶସ୍ୟ ବାହାର ରାଜ୍ୟକୁ ପଠାଯାଉଛି। ଅତିରିକ୍ତ ଖର୍ଚ୍ଚଦାବି ଉପରେ ଉତ୍ତର ରଖି ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ କହିଥିଲେ ଯେ ଚାଷୀଙ୍କ ପାଇଁ ସରକାର କାଳିଆ, ବଳିଆ ସମେତ ଅନେକ ଯୋଜନା କରିଛନ୍ତି। ଖାଦ୍ୟ ଶସ୍ୟ କ୍ଷେତ୍ରରେ ରାଜ୍ୟ କେବଳ ସ୍ବାବଲମ୍ବୀ ନୁହେଁ ବରଂ ବଳକା ରାଜ୍ୟ ହୋଇଛି। କ୍ଷୁଦ୍ର ଶସ୍ୟ ମିଶନ କାର୍ୟ୍ୟକାରୀ କରିବାରେ ଓଡ଼ିଶା ଦେଶରେ ଏକ ଅଗ୍ରଣୀ ରାଜ୍ୟ। ବର୍ତ୍ତମାନ ଏହା ୧୯ ଜିଲାରେ ଚାଲୁଥିବାବେଳେ ଆସନ୍ତା ବର୍ଷରେ ୩୦ ଜିଲାରେ କାର୍ୟ୍ୟକାରୀ କରାଯିବ। ଚାଷୀଙ୍କୁ କୃଷି ଯନ୍ତ୍ରପାତି ରଆତି ଦରରେ ଦିଆଯାଉଛି। ଚାଷୀଙ୍କୁ ଉଦ୍ୟୋଗୀ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା କାର୍ୟ୍ୟକାରୀ କରାଯାଉଛି। ଚାଷପାଇଁ ଜଳସେଚନ ବ୍ୟବସ୍ଥା କରାଯାଉଥିବାବେଳେ ଉଦ୍ୟାନ କୃଷିକୁ ଗୁରୁତ୍ବ ଦିଆଯାଇଛି। ସେହିପରି ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗରେ ସଂପୃକ୍ତ କୃଷକଙ୍କ ପାଇଁ ସରକାରଙ୍କ ପକ୍ଷରୁ ଅନେକ ଯୋଜନା କାର୍ୟ୍ୟକାରୀ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ କହିଥିଲେ। ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବାଚନିକ ଭୋଟରେ ଅତିରିକ୍ତ ଖର୍ଚ୍ଚ ଦାବି ଗୃହୀତ ହୋଇଥିଲା।
Comments ସମସ୍ତ ମତାମତ