Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଏସିଆ କପ୍‌: ଆଜି ଭାରତ-ବାଂଲାଦେଶ ମୁକାବିଲା

    Share on :
    ajab-Image
    Date: Sep 24, 2025    Views: 2963

    ଦୁବାଇ: ଚଳିତ ଏସିଆ କପ୍‌ରେ ବୁଧବାର ଭାରତ ତା’ର ୨ୟ ସୁପର-୪ ମ୍ୟାଚ୍‌ ଖେଳିବାକୁ ଯାଉଛି। ବାଂଲାଦେଶ ବିପକ୍ଷରେ ଏହି ମ୍ୟାଚ୍‌ ଭାରତ ଖେଳିବ। ଭାରତ ଅଦ୍ୟାବଧି ୪ଟିଯାକ ମ୍ୟାଚ୍‌ ଜିତିଥିବା ବେଳେ ବାଂଲାଦେଶ ମିଶ୍ରିତ ଫଳାଫଳ ଦେଖାଇଛି। ଲିଗ୍‌ ପର୍ୟ୍ୟାୟରେ ଦୁର୍ବଳ ହଂକଂକୁ ହରାଇବା ପରେ ସମସ୍ତଙ୍କୁ ଚକିତକରି ଆଫ୍‌ଗାନିସ୍ତାନକୁ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ୮ ରନ୍‌ରେ ହରାଇ ସୁପର-୪ ଖେଳିବା ନିଶ୍ଚିତ କରିଥିଲା ବାଂଲାଦେଶ। ଶ୍ରୀଲଙ୍କାଠାରୁ ଏକତରଫା ଭାବେ ଲିଗ୍‌ ମ୍ୟାଚ୍‌ ହାରିଥିବା ବାଂଲାଦେଶ ସୁପର-୪ର ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ହରାଇ ପ୍ରତିଶୋଧ ନେଇଥିଲା। ଭଲ କ୍ରିକେଟ୍‌ ଖେଳୁଥିବା ଶ୍ରୀଲଙ୍କାକୁ ହରାଇବା ପରେ ବାଂଲାଦେଶର ମନୋବଳ ବେଶ୍‌ ଦୃଢ଼ ରହିଛି। ହେଲେ ଚଳିତ ଟୁର୍ଣ୍ଣାମେଣ୍ଟରେ ଅନ୍ୟ ଦଳଙ୍କଠାରୁ ସମ୍ପୂର୍ଣ୍ଣ ପୃଥକ୍ ମନେହେଉଛି ଭାରତ। ଲିଗ୍‌ ପର୍ୟ୍ୟାୟରେ ୩ଟିଯାକ ମ୍ୟାଚ୍‌ ସହଜରେ ଜିତିବା ପରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌କୁ ମଧ୍ୟ ସୂର୍ୟ୍ୟକୁମାର ଯାଦବଙ୍କ ଦଳ ଏକତରଫା ଭାବେ ଜିତିଛି। ଏବେଠାରୁ କ୍ରିକେଟ୍‌ ସମୀକ୍ଷକ ଭାରତକୁ ଏସିଆ କପ୍‌ର ବିଜେତା ଭାବେ ଧରି ନେଇଛନ୍ତି। ଏହାକୁ ପରାସ୍ତ କରିବାକୁ ହେଲେ ବାଂଲାଦେଶକୁ ଚମତ୍କାର କରିବାକୁ ପଡ଼ିବ।ସମସ୍ତ ବିଭାଗରେ ଭାରତ ଶକ୍ତିଶାଳୀ ମନେହେଉଛି। ଯୁବ ଓପ୍‌ନର ଅଭି​‌ଷେକ ଶର୍ମା ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂକରି ମଧ୍ୟକ୍ରମର କାମକୁ ସହଜ କରି ଦେଉଛନ୍ତି। ଶୁଭମନ ଗିଲ୍‌ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଫର୍ମକୁ ଫେରିଛନ୍ତି। ମଧ୍ୟକ୍ରମରେ ତିଳକ ବର୍ମା, ସୂର୍ୟ୍ୟକୁମାର ଯାଦବ, ସଞ୍ଜୁ ସାମ୍‌ସନ ରନ୍‌ କରୁଛନ୍ତି। ଦୁଇ ଅଲ୍‌ରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଓ ଶିବମ୍ ଦୁବେଙ୍କୁ ବ୍ୟାଟିଂର ସୁଯୋଗ ମିଳିନଥିଲେ ହେଁ ଦୁହେଁ ମ୍ୟାଚ୍‌ ବିଜେତା। ପେସ୍‌ ବୋଲିଂ ବିଭାଗରେ ଯଶପ୍ରୀତ ବୁମ୍‌ରା ଯେକୌଣି ବ୍ୟାଟିଂ ଲାଇନ୍‌କୁ ରୋକିବାରେ ସମର୍ଥ। ହାର୍ଦିକ ପାଣ୍ଡ୍ୟା ନୂଆ ବଲ୍‌ରେ ଭଲ ବୋଲିଂ କରୁଛନ୍ତି। ଶିବମ୍ ଦୁବେ ନିୟମିତ ବୋଲିଂ କରୁଛନ୍ତି ଏବଂ ୱିକେଟ୍‌ ପାଇଛନ୍ତି। ଦୁବାଇ ପିଚ୍‌ ସ୍ପିନରଙ୍କୁ ସୁହାଇବ। ଫଳରେ ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ ଓ ଅକ୍ଷର ପଟେଲ ବାଂଲାଦେଶର ବ୍ୟାଟିଂ ଲାଇନ୍ ପାଇଁ ଚିନ୍ତାର କାରଣ ପାଲଟି ପାରନ୍ତି। ବୁଧବାର ମ୍ୟାଚ୍‌ର ବିଜେତା ଫାଇନାଲ ଖେଳିବା ପ୍ରାୟ ନିଶ୍ଚିତ। ଭାରତ ଅପରିବର୍ତ୍ତିତ ଏକାଦଶ ନେଇ ଖେଳିବ।
    ଅନ୍ୟପକ୍ଷରେ ବାଂଲାଦେଶ ତା’ର ସୀମିତ ସାମର୍ଥ୍ୟ ସତ୍ତ୍ବେ ଜିତିବାକୁ ପ୍ରୟାସ କରିବ। ୨ଟି ମ୍ୟାଚ୍‌ ଖେଳିଥିବା ସୈଫ୍ ହାସନ୍ ଭଲ ବ୍ୟାଟିଂ କରିଛନ୍ତି। ଅଧିନାୟକ ଲିଟନ୍ ଦାସ ଆକ୍ରମଣାତ୍ମକ ବ୍ୟାଟିଂ କରୁଛନ୍ତି। ବାଂଲାଦେଶ ମଧ୍ୟକ୍ରମର ମେରୁଦଣ୍ଡ ହେଉଛନ୍ତି ତୌହିଦ ହୃଦୟ। ଦଳ ପାଇଁ ସେ ସର୍ବାଧିକ ୧୨୭ ରନ୍‌ କରିଛନ୍ତି। ତେବେ ସମିମ୍‌ ହୋସେନ୍ ଓ ଜାକିର ଅଲୀ ଅଦ୍ୟାବଧି ସଫଳ ହୋଇନାହାନ୍ତି। ଧିମା ପିଚ୍‌ର ଫାଇଦା ଉଠାଇ ମେହ୍‌ଦି ହାସନ୍ ଓ ମୁସ୍ତାଫିଜୁର ରେହ୍‌ମାନ ମିଳିତ ଭାବେ ଶ୍ରୀଲଙ୍କାର ୫ଟି ୱିକେଟ ନେଇ ଏହାକୁ ପରାସ୍ତ କରିଥିଲେ। ଭାରତ ବିପକ୍ଷରେ ଏହି ରଣନୀତି ଆପଣାଇବ ବାଂଲାଦେଶ। ଦୁବାଇର ଧିମା ପିଚ୍‌ରେ ମୁସ୍ତାଫିଜୁରଙ୍କ ବିପକ୍ଷରେ ଦ୍ରୁତ ରନ୍‌ କରିବା ସହଜ ହେବନାହିଁ। ତେବେ ଶ୍ରୀଲଙ୍କା ବିପକ୍ଷରେ ୪୯ ରନ୍‌ ଦେଇଥିବା ସରିଫୁଲ୍‌ ଇସ୍‌ଲାମଙ୍କ ସ୍ଥାନରେ ପେସ୍‌ ବୋଲର ତାଞ୍ଜିମ୍ ହାସନ୍ ସାକିବ୍‌ ଖେଳିପାରନ୍ତି। ଆଉ ଗୋଟିଏ ୱିକେଟ୍‌ ନେଲେ ବାଂଲାଦେଶର ୪ର୍ଥ ବୋଲର ଭାବେ ମୁସ୍ତାଫିଜୁର ୧୫୦ଟି ଟ୍ବେଣ୍ଟି୨୦ ୱିକେଟ୍‌ ହାସଲ କରିବେ।

    Maximum 500 characters

    ଖେଳ ଖବର View all

    Find Us on Facebook