Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଭୋକ ପାଇଁ ବିକୁଛନ୍ତି ଝିଅ

    Share on :
    ajab-Image
    Date: Oct 27, 2021    Views: 3523

    କାବୁଲ: ଗରିବ ଆ‘ଗାନମାନେ କ୍ଷୁଧା-ତାଡ଼ିତ ହୋଇ ଅଳ୍ପବୟସ୍କା ଝିଅମାନଙ୍କୁ ବିବାହ ପାଇଁ ବିକ୍ରି କରିଦେଉଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ଆଫଗାନିସ୍ତାନରେ ଅନେକ ଶତାବ୍ଦୀ ଧରି ବାଲ୍ୟ ବିବାହ ପ୍ରଚଳିତ । କିନ୍ତୁ ଯୁଦ୍ଧ ଓ ଜଳବାୟୁ ପରିବର୍ତ୍ତନ-ଜନିତ ଦାରିଦ୍ର୍ୟ ଏବେ ଏକ ବର୍ଷରୁ କମ୍ ଝିଅମାନଙ୍କୁ ମଧ୍ୟ ବିକ୍ରି କରିବାକୁ ବାଧ୍ୟ କରୁଛି । ମରୁଡ଼ିଗ୍ରସ୍ତ ପଶ୍ଚିମ ଆଫଗାନିସ୍ତାନରେ ସ୍ୱାମୀ ଯେତେବେଳେ ନିଜେ ବଞ୍ଚିବା ପାଇଁ ଦୁଇ ଝିଅଙ୍କୁ ବିବାହ ନାମରେ ବିକ୍ରି କରିବା ନିମନ୍ତେ ଚୁକ୍ତି କରିଦେଲେ ସେତେବେଳେ ଫାହିମା ବହୁତ କାନ୍ଦିଥିଲେ । ଦୁଇ ଝିଅଙ୍କ ବିକ୍ରି ପାଇଁ ଯେଉଁଦିନ ଚୁକ୍ତି ହେଲା ସେଦିନ ଛଅ ବର୍ଷର ଝିଅ ଫରିସ୍ତେ ଓ ୧୮ ମାସର ଝିଅ ଶୋକ୍ରିୟା ସହ ଫାହିମା କାଦୁଅ-ଯୋଡେ଼ଇ ଇଟା କାନ୍ଥ ଓ ତାରପୋଲିନ ତଳେ ବସିଥିଲେ । ତାଙ୍କ ସ୍ୱାମୀ କହିଲେ, ଝିଅଙ୍କୁ ଯଦି ନ ବିକିବା ତେବେ ଆମେ ସମେସ୍ତ ମରିବା କାରଣ ଖାଇବାକୁ କିଛି ବି ନାହିଁ । 
    ବଡ଼ ଝିଅ ପାଇଁ ୩,୩୫୦ ଓ କୁନି ଝିଅ ପାଇଁ ୨,୮୦୦ ଡଲାରର ପଣ ଛିଣ୍ଡିଲା । ତାଙ୍କ ଭବିଷ୍ୟତର ସ୍ୱାମୀମାନେ ବି ଏବେ ସୁଦ୍ଧା ନାବାଳକ । କଥା ଛିଣ୍ଡିଲା, ଝିଅମାନେ ସ୍ୱାମୀ ଘରକୁ ଯିବା ପାର୍ଯ୍ୟନ୍ତ ଏହି ଟଙ୍କା ତାଙ୍କୁ କିସ୍ତି ଆକାରରେ ମିଳିବ । ବରର ବାପାମାଆ କିଛି କିଛି ଟଙ୍କା କିସ୍ତିରେ ଦେଇ ତାଙ୍କ ପୁଅ ପାଇଁ ବୋହୂ ପକ୍କା କରିଦେଇଥାନ୍ତି । ଏହି ଘଟଣା କେବଳ ଫାହିମାଙ୍କ କ୍ଷେତ୍ରରେ ଘଟିନାହିଁ । ଏହା ସମ୍ପ୍ରତି ଆଫଗାନିସ୍ତାନର ଘର ଘରର କାହାଣୀ । ବିଶ୍ୱ ଖାଦ୍ୟ ଯୋଜନା (ଡବ୍ଲୁଏଫପି) ପକ୍ଷରୁ ସୋମବାର ସତର୍କ କରାଇ ଦିଆଯାଇଛି ଯେ, ୨୨.୮ ନିୟୁତ ଜନସଂଖ୍ୟାବିଶିଷ୍ଟ ଆଫଗାନିସ୍ତାନର ଅର୍ଦ୍ଧାଧିକ ଲୋକ ଆସନ୍ତା ନଭେମ୍ବର ମାସରୁ ଉକ୍ରଟ ଖାଦ୍ୟାଭାବର ସମ୍ମୁଖୀନ ହେବେ । ବାଦଘିସ ପ୍ରଦେଶର ରାଜଧାନୀ କାଲା-ଇ-ନାଓରେ ମରୁଡ଼ିର ପ୍ରଭାବ ସବୁଠାରୁ ଅଧିକ । ସେଠାକାର ଲୋକଙ୍କ କହିବା ଅନୁସାରେ ୨୦୧୮ ମରୁଡ଼ି ସମୟରେ ସେଠାରେ କନ୍ୟା ବିକ୍ରି ହାର ବୃଦ୍ଧି ପାଇଥିଲା । ବର୍ତ୍ତମାନ ତାହା ଆହୁରି ବଢ଼ିଯାଇଛି । 
    ଫାହିମାଙ୍କ ୨୫ ବର୍ଷୀୟ ପଡେ଼ାଶୀ ଶବେରେ ତେଜରାତି ଦୋକାନରୁ ବାକି କରି ଖାଉଥିଲେ । ତାଙ୍କର ବାକି ପରିମାଣ ବଢ଼ିଯିବାରୁ ଦୋକାନୀ ତାଗିଦ କଲା, ବାକି ଶୁଝି ନ ପାରିଲେ ତୁମକୁ ଜେଲ ଯିବାକୁ ପଡ଼ିପାରେ । ଶେଷକୁ ଶବେରେ ତାଙ୍କ ତିନି ବର୍ଷୀୟା ଝିଅ ଜାକେରେକୁ ଦୋକାନୀଙ୍କ ଚାରି ବର୍ଷର ପୁଅ ଜାବିଉଲ୍ଲା ସହ ବାହାଦେବା ପାଇଁ ନିର୍ବନ୍ଧ କରି ପଣ ଅର୍ଥରେ ବାକି ପରିଶୋଧ କରିବାକୁ ବାଧ୍ୟ ହେଲେ । ଝିଅ ଆଉ ଟିକେ ବଡ଼ ହେବା ଯାଏ ଦୋକାନୀ ଅପେକ୍ଷା କରିବେ ଏବଂ ସେତେଦିନ ଯାଏ ତା’ର ଭରଣପୋଷଣ ଖର୍ଚ୍ଚ ବି ବହନ କରିବେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook