ମୁଖ୍ୟ ଖବର
ନୂଆଦିଲ୍ଲୀ,: ଅଷ୍ଟମ ବେତନ ଆୟୋଗର ଟର୍ମସ ଅଫ୍ ରେଫରେନ୍ସ ବା ସର୍ତ୍ତଗୁଡ଼ିକୁ ମଙ୍ଗଳବାର ମଞ୍ଜୁରି ଦେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ଅନୁମୋଦନ ଦିଆଯାଇଛି । ଏବେ ଆୟୋଗ ଗଠନ ହେବ । ଗଠନ ହେବାର ୧୮ ମାସ ମଧ୍ୟରେ ଏହା ସୁପାରିସ୍ ପ୍ରଦାନ କରିବ ବୋଲି ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।ସରକାର ୨୦୨୫ ଜାନୁଆରୀରେ ଏହି ଆୟୋଗ ଗଠନର ଘୋଷଣା କରିଥିଲେ । ଟର୍ମସ ଅଫ୍ ରେଫରେନ୍ସ ଏଭଳି ଦସ୍ତାବିଜକୁ ବୁଝାଏ, ଯାହା ଦର୍ଶାଇବ ଆୟୋଗର କାର୍ୟ୍ୟ କ’ଣ, ଏହାର କାର୍ୟ୍ୟ କିପରି ହେବ, କେତେ ସମୟରେ ହେବ ଏବଂ କିଏ କିଏ ଆୟୋଗରେ ସାମିଲ ହେବେ । ପୁରୁଣା ଧାରାକୁ ଯଦି ଦେଖାଯାଏ, ତେବେ ସୁପାରିସ୍ଗୁଡ଼ିକ ସମ୍ପୂର୍ଣ୍ଣ କାର୍ୟ୍ୟକାରୀ ହେବା ପାଇଁ ୨୦୨୮ ପର୍ୟ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ । କର୍ମଚାରୀଙ୍କୁ ୧୭-୧୮ ମାସର ବକେୟା ଏକକାଳୀନ କିମ୍ବା କିସ୍ତିରେ ମିଳିବ । ଏହାଦ୍ୱାରା ଉପକୃତ ହେବେ ୫୦ ଲକ୍ଷ କର୍ମଚାରୀ ଏବଂ ୬୯ ଲକ୍ଷ ପେନ୍ସନଭୋଗୀ । ଅଷ୍ଟମ ବେତନ ଆୟୋଗ ଅଧୀନରେ ଦରମା କେତେ ବଢ଼ିବ ତାହା ଫିଟ୍ମେଣ୍ଟ ଫ୍ୟାକ୍ଟର ଏବଂ ଡିଏ ଉପରେ ନିର୍ଭର କରେ । ସପ୍ତମ ବେତନ ଆୟୋଗରେ ଫିଟ୍ମେଣ୍ଟ ଫ୍ୟାକ୍ଟର ଥିଲା ୨.୫୭ । ଅଷ୍ଟମ ବେତନ ଆୟୋଗରେ ଏହା ୨.୪୬ ରହିପାରେ ବୋଲି ଅନୁମାନ ରହିଛି । ଅଷ୍ଟମ ବେତନ ଆୟୋଗ ଏକ ଅସ୍ଥାୟୀ ସଂସ୍ଥା ହେବ । ଏଥିରେ ଜଣେ ଅଧ୍ୟକ୍ଷ, ଜଣେ ପାର୍ଟ-ଟାଇମ୍ ସଦସ୍ୟ ଏବଂ ଜଣେ ମେମ୍ବର-ସେକ୍ରେଟାରୀ ରହିବେ । କମିଶନର ଅଧ୍ୟକ୍ଷତକରିବେ ସୁପ୍ରିମ୍କୋର୍ଟର ପୂର୍ବତନ ବିଚାରପତି ରଞ୍ଜନ ପ୍ରକାଶ ଦେଶାଇ ।
ପ୍ରକାଶଯୋଗ୍ୟ, କେନ୍ଦ୍ରୀୟ ବେତନ ଆୟୋଗକୁ କିଛି ବର୍ଷ ବ୍ୟବଧାନରେ ପୁନର୍ଗଠନ କରାଯାଇଥାଏ, ଯଦ୍ଦ୍ୱାରା ବେତନ ବ୍ୟବସ୍ଥା, ପେନ୍ସନ ଭଳି ବିଷୟ ଉପରେ ବିଚାର କରାଯାଇପାରିବ । କମିଶନ ଦେଖିଥାଏ ଯେ, କ’ଣ ପରିବର୍ତ୍ତନ ଲୋଡ଼ା । ତଦନୁସାରେ ଏହା ସୁପାରିସ ପ୍ରଦାନ କରିଥାଏ । ସାଧାରଣତଃ ଏହି ସୁପାରିସଗୁଡ଼ିକୁ ପ୍ରତି ୧୦ ବର୍ଷ ପରେ ଲାଗୁ କରାଯାଇଥାଏ । ଉକ୍ତ ହିସାବରେ ୨୦୨୬ ଜାନୁଆରୀ ପହିଲାରୁ ନୂଆ ବେତନ ଆୟୋଗର ସୁପାରିସ୍ଗୁଡ଼ିକ ଲାଗୁ ହେବା କଥା ।
Comments ସମସ୍ତ ମତାମତ