ଭୁବନେଶ୍ଵର : ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ସମୁଦ୍ର ଅଞ୍ଚଳରେ ଲଘୁଚାପ ସକ୍ରିୟ। ୧୧ ତାରିଖ ଯାଏଁ ପ୍ରବଳ ବର୍ଷିବ । ଲଘୁଚାପ କ୍ଷେତ୍ର ପ୍ରଭାବରେ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ଲାଗିରହିଛି। ଆଜି ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଆଜି ପାଇଁ ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।
ତେବେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବଲାଙ୍ଗିର, ଗଞ୍ଜାମ, ପୁରୀ ଓ ରାୟଗଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏହି ସମସ୍ତ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ବର୍ଷା ଯୋଗୁ ତଳିଆ ଅଞ୍ଚଳ ଜଳବନ୍ଦୀ ହୋଇପାରେ । ରାସ୍ତା ଧୋଇଯିବା ହେବା ସହ କଚ୍ଚା ଘର ଭାଙ୍ଗି ଯାଇପାରେ ବୋଲି ପାଣିପାଗ ବିଭାଗ ଆଶଙ୍କା କରିଛି । କିଛି ସ୍ଥାନରେ ଭୂସ୍ଖଳନର ଆଶଙ୍କା ଥିବା ନେଇ ସତର୍କ କରାଇଛି ।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ୱେଲ ମାର୍କେଡ୍ ବା ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ । ସୋମବାର ଏହା ଓଡ଼ିଶା ଉପକୂଳରେ ପହଞ୍ଚିବା ପୂର୍ବରୁ ସ୍ପଷ୍ଟ ଚିହ୍ନିତ ଲଘୁଚାପ ହୋଇ ସାରିଥିବ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି।
Comments ସମସ୍ତ ମତାମତ 0