Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କ୍ୟାବିନେଟରେ ଏହି ପ୍ରସ୍ତାବ ଉପରେ ଲାଗିଲା ମୋହର

    Share on :
    ajab-Image
    Date: May 18, 2022    Views: 4472

    ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି  । ଭିଡ଼ିଓ କନଫେରେନ୍ସିଂ ଯୋଗେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ କ୍ୟାବିନେଟ ବୈଠକରେ ଯୋଗଦେଇ ବିଭିନ୍ନ ବିଭାଗ ପକ୍ଷରୁ ଆସିଥିବା ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ  ।

    କ୍ୟାବିନେଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିଛି  । ଟାଟା ପାୱାର ବାରଙ୍ଗ ତହସିଲରେ ଥର୍ମାଲ ପାୱାର ପ୍ଲାଂଟ ପାଇଁ ଇଡ଼କୋ ଠାରୁ ଜମି ନେଇଥିଲା  । ତେବେ ଟାଟା ପାୱାର ପ୍ରକଳ୍ପ କରିନଥିବାରୁ ତାହାଠାରୁ ଇଡ଼କୋ ୮୭୧.୪୨୭ ଏକର ଜମି ଫେରାଇ ନେବା ସଂକ୍ରାନ୍ତ ପ୍ରସ୍ତାବ ଉପରେ କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛନ୍ତି  । ସେହିପରି ଅନୁଗୁଳରେ ମେଗା ଆଲୁମିନିୟମ ପାର୍କ ପାଇଁ ଇଡ଼କୋକୁ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ  । ରାଜ୍ୟର ୨୪ଟି ବେସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ସରକାରୀ ଅନୁଦାନ ପ୍ରଦାନ ନିମନ୍ତେ ଆସିଥିବା ପ୍ରସ୍ତାବ ଉପରେ ବି କ୍ୟାବିନେଟର ମୋହର ଲାଗିଛି  ।

    ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନାରେ ଚେକଡ୍ୟାମ ନିର୍ମାଣ ପାଇଁ କ୍ୟାବିନେଟରେ ନିଷ୍ପତି ନିଆଯାଇଛି  । ଏହାଛଡ଼ା ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ଅତିରିକ୍ତ ଆୟକଟ ପାଇଁ ଫାଇନାନ୍ସିଆଲ ବିଡ଼କୁ କ୍ୟାବିନେଟର ମୋହର ଲଗାଇଛନ୍ତି  । ସେହିପରି ଇ-ପ୍ରଶାସନ ଓ ଆଇଟି ଭିତିଭୂମି ନିମନ୍ତେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗକୁ ରେଫେରାଲ ବିଭାଗ ଭାବେ ଗ୍ରହଣ କରିବାକୁ କ୍ୟାବିନେଟରେ ନିଷ୍ପତି ନିଆଯାଇଛି  । ଏହାଛଡ଼ା ଅନେକ ଗୁଡ଼ିଏ ପାଇପ ପାଣି ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛନ୍ତି  । ସେହିପରି ପୁରୀରେ ମଠଗୁଡ଼ିକର ଥଇଥାନ ପାଇଁ ଜମିର ଷ୍ଟାମ୍ପ ଡ୍ୟୁଟି ଓ ରେଜିଷ୍ଟ୍ରେସନ ଫି ଛାଡ଼ ପାଇଁ ମଧ୍ୟ କ୍ୟାବିନେଟ ନିଷ୍ପତି ନେଇଛନ୍ତି  । ସମ୍ବଲପୁରରେ ହେବାକୁ ଥିବା ଦ୍ୱିତୀୟ ସୈନିକ ସ୍କୁଲ ପାଇଁ ସରକାର ୧୦୦ ଏକର ଜମି ଯୋଗାଇବା ସହ ଗ୍ରାଉଣ୍ଡ ରେଟ ବାବଦରେ ବାର୍ଷିକ ଏକର ପିଛା ମାତ୍ର ୧ ଟଙ୍କା ଲେଖାଏଁ ନେବେ  । ଏସଂକ୍ରାନ୍ତୀୟ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି  । 

    ଶିଳ୍ପ, ବିଦ୍ୟାଳୟ ଓ ଗଣଶିକ୍ଷା, ଦକ୍ଷତା ବିକାଶ, ଜଳସମ୍ପଦ, କୃଷି, ସାଧାରଣ ପ୍ରଶାସନ, ଉଚ୍ଚଶିକ୍ଷା, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଓ ରାଜସ୍ୱ ବିଭାଗ ଆଦି ପକ୍ଷରୁ ଆସିଥିବା ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା  । ସୂଚନାଯୋଗ୍ୟଯେ, ରିପୋର୍ଟ ଲେଖା ହେବା ବେଳକୁ ସରକାରଙ୍କ ପକ୍ଷରୁ ଏନେଇ ବିଧିବଦ୍ଧ ସୂଚନା ଦିଆଯାଇନାହିଁ  । ତେବେ ନିଜସ୍ୱ ସୂତ୍ରରୁ ଏହି ଖବର ମିଳିପାରିଛି  ।

    Maximum 500 characters

    ତାଜା ଖବର View all

    Find Us on Facebook