ଭୁବନେଶ୍ୱର: ରାଜଧାନୀ ବଜାରରେ ଚିକେନ ଦର ଅହେତୁକ ଭାବେ ବଢ଼ିଯାଇଛି । ସପ୍ତାହେ ତଳେ ଚିକେନ କେଜି ପ୍ରତି ୨୦୦ରେ ମିଳୁଥିଲା । ଏବେ ତାହା ବଢ଼ି ୨୭୦ରେ ପହଞ୍ଚିଛି । ଫଳରେ ଖାଉଟିଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଖରାଦିନରେ କୁକୁଡ଼ା ମୃତ୍ୟୁ ହାରରେ ବୃଦ୍ଧି ତଥା କୁକୁଡ଼ା ଖାଦ୍ୟ ଦର ବୃଦ୍ଧି ଯୋଗୁ ଏଭଳି ପରିସ୍ଥିତି ଉପୁଜିଛି ବୋଲି କୁହାଯାଉଛି ।
ରସୁଲଗଡ଼ କୋଚିଲେଇ ହାଟର ମାଂସ ବ୍ୟବସାୟୀଙ୍କ ମତରେ, ଏବେ କିଲୋ ପିଛା ଚିକେନ ୨୬୦ରୁ ୨୭୦ ଟଙ୍କା ବିକ୍ରି ହେଉଛି । ଗତ କିଛି ଦିନ ହେବ ଏହି ଦର ବୃଦ୍ଧି ହୋଇଛି ।
ବଜାର ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ସାରା ଦେଶରେ ଏବେ ବିବାହ ଋତୁ ଚାଲିଛି । ବିବାହ ଭୋଜିରେ ଚିକେନ ମେନ୍ୟୁ ମୁଖ୍ୟ ଖାଦ୍ୟସାମଗ୍ରୀ ପାଲଟିଛି । କରୋନା କଟକଣା ହଟିଥିବାରୁ ଲୋକଙ୍କୁ ବିବାହରେ ଯୋଗ ଦେବାର କଟକଣା ନାହିଁ । ଫଳରେ ଚାହିଦା ଅନୁସାରେ ଯୋଗାଣ ହୋଇପାରୁନାହିଁ । ଏହାବାଦ ଚଳିତ ବର୍ଷ ଗରମ ପ୍ରବଳ ହେବା ଯୋଗୁ କୁକୁଡ଼ା ଉତ୍ପାଦନ ଉପରେ ପ୍ରଭାବ ପଡ଼ିଛି । ଫାର୍ମଗୁଡ଼ିକରେ କୁକୁଡ଼ା ଗରମ ସହି ନପାରି ମରି ଯାଉଥିବା ଦେକାଯାଉଛି । ଫଳରେ ଏହା ଯୋଗାଣକୁ ପ୍ରଭାବିତ କରୁଛି ।
ଅନ୍ୟପକ୍ଷରେ କୁକୁଡ଼ା ଉତ୍ପାଦନ ଏବଂ ଯୋଗାଣ କ୍ଷେତ୍ରରେ କାମ କରୁଥିବା କମ୍ପାନିଗୁଡ଼ିକୁ ଉତ୍ପାଦନ ଏବଂ ପରିଚାଳନା ଜନିତ ଚାପ ସହିବାକୁ ପଡ଼ୁଛି । କୁକୁଡ଼ା ଖାଦ୍ୟ ଦର ବଢ଼ୁଥିବାରୁ ସେ ବାବଦରେ ସେମାନଙ୍କୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଛି । ଅଧିକ ଖର୍ଚ୍ଚକୁ ଖାଉଟିଙ୍କ ଉପରେ ଥୋଇ ଦିଆଯାଉଛି । ଫଳରେ ଚିକେନ ଖୁଚୁରା ଦର ବଢ଼ି ଚାଲିଛି ।
କୁକୁଡ଼ା ବ୍ୟବସାୟୀଙ୍କ କହିବା ମୁତାବକ, କୁକୁଡ଼ା ଦାନାର ରେଟ ମଧ୍ୟ ବଢ଼ିଯିବା ପରେ ଏବେ ବୈବସାୟୀମାନେ ମଧ୍ୟ ହଇରାଣ ହେଉଛନ୍ତି ।
Comments ସମସ୍ତ ମତାମତ 0