Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଫୁସକିଲା ବାତ୍ୟା, ଫେରିବ ତାତି

    Share on :
    ajab-Image
    Date: May 12, 2022    Views: 4592

    ଭୁବନେଶ୍ୱର: ଦୁର୍ବଳ ହୋଇ ‘ଅସାନି’ ଆନ୍ଧ୍ର ଉପକୂଳକୁ ଛୁଇଁବା ପରେ ଆହୁରି ଦୁର୍ବଳ ହେବାରେ ଲାଗିଛି । ଏହା ପୁଣି ସମୁଦ୍ର ଭିତରକୁ ପଶି ଗୁରୁବାର ଆହୁରି ଦୁର୍ବଳ ହୋଇଯିବ । ଓଡ଼ିଶା ଉପରେ ଏହାର ପ୍ରଭାବ ବିଶେଷ ପଡ଼ିବ ନାହିଁ । କାଁ ଭାଁ ବର୍ଷା  ହୋଇପାରେ ଗୁରୁବାର । ଏପଟେ ପାଣିପାଗ ବୈଜ୍ଞାନିକ ଆକଳନ କଲେଣି ବାତ୍ୟା ପଳେଇଲା । ଏବେ ପୁଣି ଖରା ତାତିରେ ସିଝିବ ଓଡ଼ିଶା । ଖରା ବଢ଼ିବା ସହିତ ତାପମାତ୍ରା ମଧ୍ୟ ବଢ଼ିବ । ଉପକୂଳ ଓଡ଼ିଶାରେ ଗୁଳୁଗୁଳି ବି ବଢ଼ିବ । ଆନ୍ଧ୍ର ଉପକୂଳ ଛୁଇଁବା ଆଗରୁ ହିଁ ବାତ୍ୟା ଦୁର୍ବଳ ହୋଇ ଗଭୀର ଅବପାତ ରୂପ ନେଇଯାଇଥିଲା । ବୁଧବାର ସନ୍ଧ୍ୟା ପ୍ରାୟ ସାଢେ଼ ୫ଟାରେ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହା ପ୍ରଭାବରେ ଆନ୍ଧ୍ରରେ ଲଗାଣ ବର୍ଷା ହୋଇଥିବା ବେଳେ ୫୫-୭୫ କିମି ବେଗରେ ପବନ ବି ହୋଇଛି । ହେଲେ ଓଡ଼ିଶା ଠାରୁ ଢେ଼ର ଦୂରରେ ଥିବାରୁ ରାଜ୍ୟର ଏହାର ପ୍ରଭାବ ପରିଲକ୍ଷିତ ହୋଇନାହିଁ । 

    ପାଣିପାଗ ବିଭାଗ କହିଛି, ମଛଲିପଟନମ ଓ ନରସପୁର ଭିତରେ ଏହା ସ୍ଥଳଭାଗରେ ପ୍ରବେଶ କରିବା ପରେ ଉତ୍ତର-ଉତ୍ତର ପୂର୍ବରେ ସମୁଦ୍ର ଆଡ଼କୁ ଗତି କରୁଛି । ଗୁରୁବାର ସକାଳରୁ ଆହୁରି ଦୁର୍ବଳ ହୋଇ ଅବପାତ ଅବସ୍ଥାରେ ସମୁଦ୍ରରେ ଥିବ । ସେତେବେଳେ ଓଡ଼ିଶା ଉପକୂଳଠାରୁ ଆହୁରି ଦୂରେଇଯିବ । ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ଆଜି ବର୍ଷା ହୋଇପାରେ । ମାତ୍ର ବଡ଼ ବର୍ଷାର ସମ୍ଭାବନା ନାହିଁ । ଓଡ଼ିଶା ଉପକୂଳ ସମୁଦ୍ରରେ ୪୦-୫୦ କିମି ବେଗରେ ପବନ ବହିପାରେ । ସମୁଦ୍ର ଅଶାନ୍ତ ରହୁଛି । ତେଣୁ ୧୨ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ପ୍ରବେଶ ମନା କରାଯାଇଛି । ଗୋପାଳପୁର ପାଇଁ ତିନି ନମ୍ବର ଓ ଅନ୍ୟ ବନ୍ଦର ଲାଗି ୨ ନମ୍ବର ବିପଦ ସଙ୍କେତ ବଳବତ୍ତର ରହିଛି । ପାଣିପାଗ ବିଜ୍ଞାନୀଙ୍କ ଆକଳନ କହିବାନୁସାରେ, ବର୍ତ୍ତମାନ ଉତ୍ତର-ପଶ୍ଚିମ ଭାରତରେ ପୁଣି ତାତି ବଢ଼ିବା ସହ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଗଲାଣି ।

    ବାତ୍ୟା ପ୍ରଭାବ ଯୋଗୁ ରାଜ୍ୟରେ ପାରଦ ଖସିଯାଇଥିଲା । ଏବେ ଖରା ବଢ଼ିବା ସହ ତାତି ବଢ଼ିବ । ଆସନ୍ତା ୩-୪ ଦିନ ଭିତରେ ପାରଦ ପୁଣି ୪୦ଡ଼ିଗ୍ରୀ ଛୁଇଁପାରେ । ବୁଧବାର ଦିନବେଳା ବାରିପଦାରେ ୫୦ ମିଲିମିଟର ବର୍ଷା ହୋଇଥିବାବେଳେ କୋରାପୁଟରେ ୧୨ ମିମି ବର୍ଷା ହୋଇଥିଲା । ବାକି ସବୁଠି ପାଗ ଶୁଖିଲା ଥିଲା । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook