Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କଇଁଫୁଲ ନେଉଛି ଜୀବନ, ପାଂଚ ଦିନରେ ୫ମୃତ

    Share on :
    ajab-Image
    Date: Oct 20, 2021    Views: 4461

    ଭୁବନେଶ୍ୱର : ପାର୍ବଣ ଯୋଗୁଁ ବଜାରରେ କଇଁ ଫୁଲର ଭାଉ ବଢ଼ିଯାଇଛି  । ଏବେ କଇଁଫୁଲ ଗୋଟାକୁ ୧୦ରୁ ୧୫ ଟଙ୍କାରେ ବିକ୍ରି ହେଉଛି । ପୂଜା ପାଇଁ ଆବଶ୍ୟକ ପଡୁଥିବାରୁ ତୋଳିବା ପାଇଁ ଅନେକଙ୍କ ଜୀବନ ଯାଉଛି । ଗତ ୫ ଦିନ ମଧ୍ୟରେ କଇଁଫୁଲ ପାଇଁ ଯାଜପୁର ଜିଲ୍ଲାର ୪ଜଣ ଏବଂ କେନ୍ଦୁଝର ଜିଲ୍ଲା ଘସିପୁରା ଅଞ୍ଚଳର ଜଣକର ଜୀବନ ଯାଇଛି । ମଂଗଳପୁର ଥାନା ନିଜାମପୁର ପଞ୍ଚାୟତ କୂଳସାହି ଗ୍ରାମର ମାୟାଧର ଜେନା(୬୪) କଇଁଫୁଲ ତୋଳିବା ବେଳେ ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି । ମଙ୍ଗଳପୁର ଥାନା ଏସଆଇ ହରିଶ ସିଂ ଶବକୁ ବ୍ୟବଚ୍ଛେଦ ପାଇଁ ଯାଜପୁର ଜିଲ୍ଲା ମୁଖ୍ୟଚିକତ୍ସାଳୟକୁ ପଠାଇଥିବା ବେଳେ ଏକ ଅପମୃତୁ୍ୟ ମାମଲା ରୁଜୁ କରିଛନ୍ତି ।

    ଘଟଣାରୁ ପ୍ରକାଶ ଯେ, କୁମାରପୂର୍ଣ୍ଣମୀ ଓଷା ପାଇଁ ଭାର ନେଇ ଆସିଥିବା ଗ୍ରାମନନ୍ଦିପୁର ପଂଚାୟତ ବାଉଁଶବାଡି ଗ୍ରାମର ବୈଦ୍ୟନାଥ ଦାସ (ଅଟୋ ଚାଳକ) ନିକଟସ୍ଥ ପୋଖରୀରୁ କଇଁଫୁଲ ତୋଳି ଦେବାକୁ ମାୟାଧରଙ୍କୁ କହିଥିଲେ  । ଘର ସମ୍ମୁଖରେ ଥିବା ପୋଖରୀରୁ କିଛି କଇଁଫୁଲ ତୋଳିଥିବା ବେଳେ ମାୟାଧର ବୁଡ଼ିଯାଇଥିଲେ । ଏହାଦେଖି ବୈଦ୍ୟନାଥ ଡାକ ପକାଇବାରୁ ସ୍ଥାନୀୟ ଲୋକେ ଖୋଜାଖୋଜି କରିବା ସହ ଦଶରଥପୁର ଅଗ୍ନିଶମ ବାହିନୀ ପହଞ୍ଚି ଖୋଜିଥିଲେ । ଦୀର୍ଘ ୨ ଘଣ୍ଟା ଧରି ଉଦ୍ୟମ ପରେ ମଧ୍ୟ କୌଣସି ସନ୍ଧାନ ପାଇନଥିଲେ । ପରେ ଖାନନଗର ଗ୍ରାମର ବସନ୍ତ ମଲ୍ଲିକ(ଚଗଲା) ପୋଖରୀରୁ ମାୟାଧରଙ୍କ ମୃତ ଶରୀରକୁ ଠାବ କରିଥିଲେ । ଗତକାଲି ଏହି ବ୍ଲକର ଗୋପକୂଳ ଗ୍ରାମର ୨ଜଣ ନାବାଳକ ଶ୍ରୀକାନ୍ତ ଜେନାଙ୍କ ପୁଅ ଦିବ୍ୟରଂଜନ(୧୦) ଏବଂ ଉମାକାନ୍ତ ଜେନାଙ୍କ ପୁଅ ବିଭୂତିଭୂଷଣ(୧୫) ବୈତରଣୀ ନଦୀର କଣ୍ଡିଆ ନାଳରୁ କଇଁଫୁଲ ତୋଳିବା ବେଳେ ପ୍ରାଣ ହରାଇଥିଲେ । ଏହି ଗ୍ରାମର ବିଜୁ ଜେନାଙ୍କ ପୁଅ ଶୁଭମ(୧୦) ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ସେହିପରି ଗତ ୧୬ ତାରିଖ ଦିନ କୋରେଇ ଥାନା ଚାରଦା ଗ୍ରାମର ଚନ୍ଦ୍ରମଣି ଜେନା ଗାଁ ପୋଖରୀକୁ କଇଁଫୁଲ ତୋଲିବାକୁ ଯାଇ ମୃତୁ୍ୟବରଣ କରିଥିଲେ । ଗତ୧୫ ତାରିଖରେ ଘସିପୁରା ବ୍ଲକ ଗଡ଼ବାନ୍ଧଗୋଡ଼ା ପଞ୍ଚାୟତ କଣ୍ଟାବଣିଆ ଗ୍ରାମର କଳାକାର ଜେନା (୭୬) କଇଁଫୁଲ ତୋଳିବା ବେଳେ ବୁଡ଼ିଯାଇ ପ୍ରାଣ ହରାଇଥିଲେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook