Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଏମିତି ବି ଆସେ ମୃତୁ୍ୟ, ୬ବର୍ଷର ଶିଶୁକୁ ଝାମ୍ପିନେଲା ଚିତାବାଘ

    Share on :
    ajab-Image
    Date: Oct 13, 2021    Views: 4494


    ରାଇଘର: ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଭିତରେ ପଶି ୬ବର୍ଷର ଶିଶୁକୁ ଝାମ୍ପିନେଲା ଚିତାବାଘ । ଛତିଶଗଡ଼ର ଧମତରୀ ଜିଲ୍ଲା ଅନ୍ତର୍ଗତ ସିହାସ୍ୱା ଠାରେ ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି । ମୃତ ଶିଶୁ ଜଣକ ଓଡ଼ିଶାର ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ବ୍ଲକର ଅମିତ ମର୍କାମ । ନବରାତ୍ରୀ ଯୋଗୁ ଦେବୀ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିବା ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି । କଡ଼ା ସୁରକ୍ଷା ବଳୟକୁ ଭେଦ କରି ଚିତାବାଘ କେମିତି ପଶିଲା ଏବଂ ମଣିଷ ଶିକାର କଲା ସ୍ପଷ୍ଟ ହୋଇପାରି ନାହିଁ । ଯାହାକୁ ନେଇ ଅନେକ ପ୍ରଶ୍ନ ଉଠିବା ମଧ୍ୟ ଆରମ୍ଭ ହୋଇଛି । ଅପରପକ୍ଷରେ ଛତିଶଗଡ଼ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ସୂଚନା ଅନୁଯାୟୀ, ରାଇଘର ଠାରୁ ପ୍ରାୟ ୪୫ କିଲୋମିଟର ଦୂର ଛତିଶଗଡ଼ର ଧମତରୀ ଜିଲ୍ଲା ଅନ୍ତର୍ଗତ ସିହାୱା ଗ୍ରାମରେ ରହିଛି ଶୃଙ୍ଗିଋଷି ପର୍ବତ । ଏହି ପର୍ବତରେ ରହିଥିବା ଦେବୀ ମନ୍ଦିରକୁ ପ୍ରତିବର୍ଷ ନବରାତ୍ରୀ ସମୟରେ ବହୁ ସଂଖ୍ୟା ଶ୍ରଦ୍ଧାଳୁ ମାନସିକ ନେଇ ଆସିଥା’ନ୍ତି । ମନ୍ଦିରରେ ଦୀପ ଲଗାଇ ମାନସିକ କଲେ ନିଶ୍ଚିତ ରୂପେ ଫଳପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ତେବେ ଜଙ୍ଗଲରେ ଭର୍ତ୍ତି ଶୃଙ୍ଗଋଷି ପାହାଡ଼ରେ ଅନେକ ହିଂସ୍ରଜନ୍ତୁ ରହିଥିବାବେଳେ ଅନେକ ସମୟରେ ଶିକାର ସନ୍ଧାନରେ ମନ୍ଦିର ନିକଟକୁ ଚାଲି ଆସିବାର ନଜିର ରହିଛି । ଏପରିକି ବହୁ ଲୋକ ଶିକାର ହୋଇଥିବା ବି କୁହାଯାଉଛି । ତେଣୁ ବିଶେଷପୂଜା ତଥା ପାର୍ବଣ ସମୟରେ ଏହି ଜଙ୍ଗଲ ତଥା ପାହାଡ଼ରେ ପୁଲିସ ଓ ବନ ବିଭାଗ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥାଏ । ଚଳିତ ବର୍ଷ ବି ପୂର୍ବ ପ୍ରସ୍ତୁତି ଆନୁଯାୟୀ ପାହାଡ଼ରେ ସୁରକ୍ଷାର ବଳୟ ସୃଷ୍ଟି କରାଯାଇଥିଲା । ଏଥିଯୋଗୁ ବିଭିନ୍ନ ଅଞ୍ଚଳରୁ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ନିର୍ଭୟରେ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ । ଗତକାଲି ରାଇଘର ବ୍ଲକ ଅନ୍ତର୍ଗତ ତୁରୁଡିହି (ଆଦିବାସୀ) ଗ୍ରାମର ନରେନ୍ଦ୍ର ମର୍କାମ ନିଜ ପରିବାର ସହ ଏହି ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ । ଅପରାହ୍ନ ସୁଦ୍ଧା ଦର୍ଶନ ସାରି ପରିବାର ସହ ନରେନ୍ଦ୍ର ପାହାଡ଼ ତଳକୁ ଓହ୍ଲାଉଥିଲେ । ଏହି ସମୟରେ ହଠାତ ଗୋଟିଏ ଚିତାବାଘ ଲମ୍ଫ ଦେଇଥିଲା । ଗର୍ଜନ କରି ଶିକାର ସନ୍ଧାନ କରିଥିବା ବେଳେ ପ୍ରାଣ ବିକଳରେ ଲୋକେ ସୁରକ୍ଷିତ ସ୍ଥାନ ଖୋଜି ଦୌଡ଼ିବା ଆରମ୍ଭ କରିଥିଲେ । କିନ୍ତୁ ନରେନ୍ଦ୍ରଙ୍କ ୬ବର୍ଷର ପୁଅ ଅମିତ ଦୌଡ଼ ନ ପାରି ଚିତାବାଘ ହାବୁଡ଼ରେ ପଶି ଯାଇଥିଲା । କେଇ ମିନିଟ ଭିତରେ କେହି କିଛି ବୁଝିବା ପୂର୍ବରୁ ଅମିତକୁ ବାଘ ଟାଣି ଟାଣି ଜଙ୍ଗଲ ଭିତରକୁ ଚାଲି ଯାଇଥିଲା । ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ ଏବଂ ବନ ବିଭାଗ କର୍ମଚାରୀ ତତ୍ପରତା ଦେଖାଇ ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ । ସ୍ଥାନୀୟ ଲୋକ ବି ଏଥିରେ ସହାୟତା କରିଥିଲେ । ଶେଷରେ ବାଘକୁ ଘଉଡ଼ାଇ ଅମିତକୁ ଉଦ୍ଧାର କରାଯାଇଥିଲା । ଗୁରୁତର ଅବସ୍ଥାରେ ସିହାୱା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ଅମିତର ମୃତୁ୍ୟ ହୋଇଥିବା ଡାକ୍ତର ଘୋଷଣା କରିଥିଲେ । ଅମିତର ମୁହଁ, ମୁଣ୍ଡ ସହ ଶରୀରର ବିଭିନ୍ନ ସ୍ଥାନରେ ବାଘର ନଖ ଓ ଦାନ୍ତ ବାଜି ଗଭୀର କ୍ଷତ ହୋଇଥିବା ଦେଖିବାକୁ ମିଳିଛି । ସିହାୱା ପୁଲିସ ମାମଲା ରୁଜୁ ପରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଶବ ଗାଁକୁ ଆସିବା ପରେ ରାଇଘର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ହସଖୁସିରେ ଅନେକ ସ୍ୱପ୍ନ ନେଇ ମନ୍ଦିରକୁ ଯାଇଥିବା ବେଳେ ପୁଅର ଶବ ନେଇ ଘରକୁ ଫେରିବାକୁ ପଡ଼ିଥିବାରୁ ବାପା, ମା’ ସ୍ତବ୍ଧ ହୋଇଯାଇଛନ୍ତି । ଅନ୍ୟପଟେ ବନ ବିଭାଗ ପକ୍ଷରୁ ମଣିଷ ଶିକାର କରିଥିବା ହିଂସ୍ର ଚିତାବାଘକୁ କାବୁ କରିବାକୁ ପ୍ରୟାସ ଜାରି ରହିଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook