ଚଣ୍ଡିଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କୁ ଅଭଦ୍ର ଭାଷାରେ ଗାଳିକଲେ ତାଙ୍କ ଦଳର ହିଁ ରାଜ୍ୟ ସଭାପତି ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ । ସୂଚନା ଅନୁସାରେ ଉତ୍ତରପ୍ରଦେଶ ଲଖିମପୁର ହିଂସା କାଣ୍ଡ ସ୍ଥଳ ବୁଲିବାକୁ ଯାଇଥିଲେ ଉଭୟ ନେତା । କିନ୍ତୁ ବାଟରେ ନବଜୋତ ସିଂହ ସିଦ୍ଧୁ ଚନ୍ନିଙ୍କୁ ଅପେକ୍ଷା କରିଥିଲେ । ହେଲେ ମୁଖ୍ୟମନ୍ତ୍ରୀଙ୍କ ଆସିବାରେ ବିଳମ୍ବ ହେବାରୁ ସିଦ୍ଧୁ ଉତ୍କ୍ଷିପ୍ତ ହୋଇ ତାଙ୍କ ନାଁରେ ଏକ ଅପଭାଷା ବ୍ୟବହାର କରିଥଇବା ଭିଡିଓ ଏବେ ସାମ୍ନାକୁ ଆସିଛି । ସିଦ୍ଧୁଙ୍କ ଏହି ଭିଡିଓକୁ ପଞ୍ଜାବ କଂଗ୍ରେସ ହିଁ ଶେଆର କରିଛି । ଲଖିମପୁର ଯିବା ପାଇଁ ସିଦ୍ଧୁ ମୋହାଲି ବିମାନ ବନ୍ଦର ଛକ ନିକଟରେ ନିଜ ପ୍ରୋଟେଷ୍ଟ ମାର୍ଚ୍ଚ ଆରମ୍ଭ କରିବା ପାଇଁ ଚନ୍ନିଙ୍କୁ ଅପେକ୍ଷା କରିଥିଲେ । ହେଲେ ଚନ୍ନି ଆସିବାରେ ବିଳମ୍ବ ହୋଇଥିଲା । ନିକଟରେ ଉପସ୍ଥିତ ଥିବା ଜଣେ କ୍ୟାବିନେଟ ମନ୍ତ୍ରୀ ସିଦ୍ଧୁଙ୍କୁ କହିଥିଲେ, ୨ ମିନିଟ୍ରେ ମୁଖ୍ୟମନ୍ତ୍ରୀ ଚନ୍ନି ପହଞ୍ଚିବେ । ଏଥିରେ ସିଦ୍ଧୁ ରାଗି ଯାଇ ମୁଖ୍ୟମନ୍ତ୍ରୀଙ୍କ ନାଁ ଅଭଦ୍ର ଭାଷା ପ୍ରୟୋଗ କରିଥିଲେ ।
ସିଦ୍ଧୁ କହିଥିଲେ, ‘ଆମେ ଦୀର୍ଘ ସମୟ ହେଲା ଚନ୍ନିଙ୍କୁ ଅପେକ୍ଷା କରିଛୁ । ଚନ୍ନି ୨୦୨୨ରେ କଂଗ୍ରେସର ନୌକା ବୁଡାଇ ଦେବେ । ଭଗବନ୍ତ ସିଂହ ସିଦ୍ଧୁଙ୍କ ପୁଅକୁ (ନବଜୋତ ସିଂହ ସିଦ୍ଧୁଙ୍କ ବାପା) ମୁଖ୍ୟମନ୍ତ୍ରୀ କରାଇଥିଲେ କେତେ ସଫଳତା ମିଳିଥା’ନ୍ତା ଦେଖିଥାନ୍ତ । ଏହି ଭିଡିଓ ଦେଖିବାପରେ ଅକାଳୀ ଦଳ ତାଙ୍କୁ ଘେରିଛି । କ୍ୟାପଟେନ୍ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ନବଜୋତ ସିଂହ ସିଦ୍ଧୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ପାଇଁ ଅଙ୍କକଷି ଦେଇଥିଲେ । କେନ୍ଦ୍ର କଂଗ୍ରେସ ନେତୃତ୍ୱର ମିଶାଣ ଫେଡାଣରେ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରାଇବା ପାଇଁ ନିସ୍କର୍ଷ ବାହାରିଥିଲା । ସେତେବେଳେ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରାଇବାରେ ସିଦ୍ଧୁଙ୍କ ଏକ ବଡ ଭୂମିକା ଥିଲା ବୋଲି ମଧ୍ୟ କୁହାଯାଏ । କାରଣ ଚନ୍ନିଙ୍କ ପୂର୍ବରୁ ଆଉ ଜଣେ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରାଇବା ନେଇ ଚର୍ଚ୍ଚା ହେଉଥିଲା ଯିଏକି ଅମିରନ୍ଦରଙ୍କ କୋଟେରିର ନେତା ଥିଲେ । ତେବେ ଚନ୍ନି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ସିଦ୍ଧୁ ଅସନ୍ତୋଷ ଜାହିର କରିଥିଲେ ।
Comments ସମସ୍ତ ମତାମତ 0